Unknown

 

 

 

 

 

 

 

 

 

 

ଯୋଜନା ଭାଗବତ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ପ୍ରଥମ ଅଧ୍ୟାୟ

 

ଶୁଣ ସଧୀରେ ଦେଇ ମନ

କହିବା ଯୁଗର ବିଧାନ

।।

 

 

ଉତ୍କଳ ନାମେ ଦେଶ ସାର

ଯହିଁ ବିଜୟ ଚକ୍ରଧର

।।

 

 

ଯେ ଦେଶେ ଜୟଦେବ କବି

ରାଧାଗୋବିନ୍ଦ ରସେ ଦ୍ରବି

।।

 

 

ରଚିଲେ ଶ୍ରୀଗୀତଗୋବିନ୍ଦ

କାନ୍ତ କୋମଳ ଯାର ପଦ

।।

 

 

ଶାରଳା ଶୂଦ୍ର ମୁନି ଯହିଁ

ମହାଭାରତ ଗଲେ ଗାଇ

।।

 

 

ଅତିବଡ଼ୀ ଯେ ଜଗନ୍ନାଥ

ଗାଇଲେ ଗୀତେ ଭାଗବତ

।।

 

 

 

 

ଉପେନ୍ଦ୍ର ଅଭିମନ୍ୟୁ ଆଦି

ଛାନ୍ଦ ରଚିଲେ ଗାଦି ଗାଦି

।।

 

 

ଆଜି ସେ ଗ୍ରନ୍ଥ ରୂପେ ସାର

ମଣ୍ଡଇ ଭାଗବତ ଘର

।।

 

 

ତହିଁ ପୁରାଣ ପଣ୍ଡା ନିତି

ପଢ଼ନ୍ତି ପୋଥି ନାନା ଜାତି

।।

 

 

ମିଳନ୍ତି ବହୁ ଗ୍ରାମବାସୀ

କି ସାହୁକାର କିବା ଚାଷୀ

।।

 

 

ସକଳେ ହୋଇ ଏକମନ

କରନ୍ତି ପୁରାଣ ଶ୍ରବଣ

।।

 

 

ଏମନ୍ତ ଏକ ଦିନ ତହିଁ

ସର୍ବେ ଅଛନ୍ତି ମେଳ ହୋଇ

।।

 

 

ପୁରାଣ ପାଠ ଶେଷ ହେଲା

ଭଜନ ଦାସ ପ୍ରଶ୍ନ କଲା

।।

 

 

ବସିଛ ମୁଖିଆ ଗ୍ରାମର

ସନ୍ଦେହ ମୋର ଦୂରକର

।।

 

 

ତ୍ରେତାରେ ରାମଚନ୍ଦ୍ର ଥିଲେ

ସୁଖରେ ପରଜା ପାଳିଲେ

।।

 

 

ପରଜା ସୁଖେ ନିଜ ସୁଖ

ପ୍ରଜା ଦୁଃଖରେ ଲଭି ଦୁଃଖ

।।

 

 

ଯଶ ରଖିଲେ ଯୁଗେ ଯୁଗେ

ଜଗତ କହେ ଅନୁରାଗେ

।।

 

 

ରାମ ରାଜତ୍ୱ ବୋଲି ତାକୁ

ନାହିଁ ତ ଉପମା ଦେବାକୁ

।।

 

 

ଏବେ ତ ଏ ଭାରତ ଭୂଇଁ

ପରଜା ମୂଳରେ ଚଳଇ

।।

 

 

ବହୁତ କାଳ ପରଦେଶୀ

ଆମ୍ଭ ରାଜ୍ୟରେ ପରବେଶୀ

।।

 

 

ତାଙ୍କ ଶାସନ ଚଳାଇଲେ

ଏବେ ତ ଛାଡ଼ି ପଳାଇଲେ

।।

 

 

ଆମ୍ଭେ ବାଛିଲେଁ ସରକାର

ଚାଳିବେ ଏ ରାଜ୍ୟ ବେଭାର

।।

 

 

ରାଜ୍ୟରୁ ରାଜପାଟ ଗଲା

ପ୍ରଜାର ଶାସନ ଚଳିଲା

।।

 

 

ଶୁଣୁଛୁଁଅନେକ ପ୍ରକାର

ଚାଲିଛି ଶାସନ ବିଚାର

।।

 

 

ଆମ୍ଭର ଦୁଃଖ ଯିବ ଯେବେ

ଜାଣିବା ଆମ୍ଭେ ସିନା ତେବେ

।।

 

 

ସ୍ୱରାଜ୍ୟ ହୋଇଲା ଭାରତେ

ନତୁବା କେହ୍ନେ ଯିବା ପ୍ରତେ

।।

 

 

ମୁଖିଆ ଏ ଗ୍ରାମରେ ଅଛ

କହ କେ କି କଥା ଶୁଣିଛ

।।

 

 

ଗ୍ରାମ ତ ସହରର ମଥା

ତହିଁକି ହୁଏ କି ବ୍ୟବସ୍ଥା

।।

 

 

ଯାଉଛ ସହରେ ନଗରେ

ମିଶୁଛ ସଜ୍ଜନ ସଂଗରେ

।।

 

 

ପାଞ୍ଚ ବରଷ ଲାଗି ପରା

ହେଉଛି ଯୋଜନାର ଧାରା

।।

 

 

କି ସେ ଯୋଜନା ଫଳ କିସ

କହ ହେ ସଂବାଦ ବିଶେଷ

।।

 

 

କହନ୍ତି ମଧୁ ମିଶ୍ରେ ଶୁଣି

ସେ ପଲ୍ଲୀଗ୍ରାମର ଅଗ୍ରଣୀ

।।

 

 

ମୁହିଁ ଯା ଶୁଣିଅଛି ବାବୁ

ପଚାରିଲେ ତ କହେ ସବୁ

।।

 

 

 

 

 

 

 

 

ମଧୁ ମିଶ୍ରୋବାଚ

 

 

 

ପଞ୍ଚ ବାର୍ଷିକ ଯୋଜନାର

ଦୁଇଟି କଥା ହେଲା ସାର

।।

 

 

ଅଧିକ କରି ଉତ୍ପାଦନ

ଆଗେ ବଢ଼ାଅ ରାଜ୍ୟଧନ

।।

 

 

ଅନ୍ନ ବିହୁନେ ହଂସ ହାନି

ଶୁଣିଛ ଭାଗବତ ବାଣୀ

।।

 

 

ସେହି କଥାଟି ମୂଳ କରି

ସତ୍ୟ ଧରମ ରାହା ଧରି

।।

 

 

ସଂପଦ ବଢ଼ିବା ବିଚାର

ଯୋଜନା ପାଞ୍ଚ ବରଷର

।।

 

 

ଶାସନ ବିଧିର ନିର୍ଦ୍ଦେଶ

ଅନ୍ୟାୟ ଯେତେ କରି ଧ୍ୱଂସ

।।

 

 

 

 

ସଂପଦେ ବାଣ୍ଟି ସମାନରେ

ଲାଗ ସମାଜ ସ୍ଥାପନରେ

।।

 

 

ନ୍ୟାୟକୁ ମୂଳପିଣ୍ଡ ଧରି

ସମାଜ ଗଢ଼ ଟାଣକରି

।।

 

 

ପାଞ୍ଚ ବରଷ ଯୋଜନାର

ଏହି କଥାଟି ଏକା ସାର

।।

 

 

ସାର୍ଥକ ହେଲେ ଏ ସାଧନ

ହୋଇବ ଦୁଃଖ ନିବାରଣ

।।

 

 

ସୁଖରେ ଜନ ସାଧାରଣ

କରିବେ ଜୀବନ ଯାପନ

।।

 

 

ଭଜନ ଦାସୋବାଚ

 

 

 

ଭଜନ ଦାସେ ଶୁଣି ଏତେ

କହିଲେ ଭାବି ଅନ୍ତର୍ଗତେ

।।

 

 

 

 

ତେବେ ଅଧିକ ଉତ୍ପାଦନ

ନ୍ୟାୟରେ ତହିଁର ବଣ୍ଟନ

।।

 

 

ଦୁଇଟି କଥା ସମଭାବେ

ଯୋଜନା ବିଚାରଇ ଏବେ

।।

 

 

ବୁଝାଇ କହିବ ଆମ୍ଭକୁ

ବିଶ୍ୱାସ ଯିବା ଯୋଜନାକୁ

।।

 

 

ମଧୁ ମିଶ୍ରୋବାଚ

 

 

 

ଶୁଣ ହୋ ଦାସେ ମନଦେଇ

କହୁଛି ସକଳ ବୁଝାଇ

।।

 

 

ବଣ୍ଟନ ଉତ୍ପାଦନ ଦୁଇ

ଯୋଜନା ଏକତ୍ରେ ଧରଇ

।।

 

 

କହୁଛି ଏହାର କାରଣ

ଶୁଣ ସକଳେ ଦେଇ ମନ

।।

 

 

 

 

ଅଧିକ ଉପୁଜିଲେ ଖାଲି

ଅଭାବ ନ ଯିବ ତ ଚାଲି

।।

 

 

ଧନୀ ଅଧିକେ ହେବେ ଧନୀ

ଗରିବ ପାତିଥିବେ କାନି

।।

 

 

ଏ ତ ନୁହଇ ଅସମ୍ଭବ

ଯୋଜନା ବିଫଳ ହୋଇବ

।।

 

 

ତେଣୁ ସମାନେ ହେଲେ ବାଣ୍ଟ

କାହାରି ନ ଥିବ ସଙ୍କଟ

।।

 

 

ଯା ଅଛି ସଂପଦ ଦେଶରେ

ବାଣ୍ଟିଲେ ସମାନ ଅଂଶରେ

।।

 

 

ସକଳେ ହୋଇବେ ଗରିବ

ସୁଫଳ ତହୁଁ ନ ଫଳିବ

।।

 

 

ତେଣୁ ଅଧିକ ଉତ୍ପାଦନ

ନ୍ୟାୟରେ ହେବ ସେ ବଣ୍ଟନ

।।

 

 

ମୂଳ କରିଣ ବେନି ମତ

ଯୋଜନା ହୋଇଛି ଗଠିତ

।।

 

 

ପାଞ୍ଚ ବରଷୀ ଏ ଯୋଜନା

ସକଳେ କର ମନେ ଘେନା

।।

 

 

ଭଜନ ଦାସୋବାଚ

 

 

 

କହଇ ସେ ଭଜନ ଦାସ

ହୋଇଣ ଅତି ହସ ହସ

।।

 

 

ଏକଥା ମନକୁ ଆସିଲା

ଯୋଜନା କଥା ବୁଝାଗଲା

।।

 

 

ଅଧିକ ଉତ୍ପାଦନ ପାଇଁ

କେଉଁ ବ୍ୟବସ୍ଥା ଅଛି ହୋଇ

।।

 

 

କହ ହେ ସକଳ ବୁଝାଇ

ଅବୁଝା ମନ ମାନୁ ନାହିଁ

।।

 

 

 

 

 

 

ମିଶ୍ରୋବାଚ

 

 

 

ମିଶ୍ରେ କହିଲେ ଶୁଣ ସର୍ବେ

ସେ ମର୍ମ କହୁଥାଇ ଏବେ

।।

 

 

ଅଧିକ ଉତ୍ପାଦନ ଆଶେ

ଲୋଡ଼ା ପଡ଼ିଛି ଯାହା ଦେଶେ

।।

 

 

ଫସଲ କରିବାକୁ କ୍ଷେତ

ଅଧିକ ଲୋଡ଼ା ଜାଣୁଛତ

।।

 

 

ଭୂମି ନ ଥିଲେ ବେଶି କାହୁଁ

ଅଧିକ ଉପୁଜିବ ତହୁଁ

।।

 

 

ପଡ଼ିଆ ଉଠିଆ ନ କଲେ

କି ଲାଭ ବେଶି ଆଶା କଲେ

?

 

 

ଉଠିଆ କରିବାକୁ ଧନ

ନିଶ୍ଚୟ ହେବ ପ୍ରୟୋଜନ

।।

 

 

ଯୋଜନା କରିଛି ବିଧାନ

ସାହାଯ୍ୟ ମିଳିବଟି ଧନ

।।

 

 

ଦାସୋବାଚ

 

 

 

ଦାସ କହଇ ଧନ ହେଲେ

କିଆରୀ ତିଆରିବା ଭଲେ

।।

 

 

ପ୍ରମାଦ ପୁଣି ଅଛି ଯାହା

କହୁଛି ଶୁଣ ଏବେ ତାହା

।।

 

 

କିଆରୀ ଚଷି କିସ ହେବ

ମରୁଡ଼ି ବାଧା ଯେବେ ଥିବ

।।

 

 

ଆଶାରେ ଆଶାରେ ମରିବା

ଆକାଶ ପାଣି ଚାହିଁ ଥିବା

।।

 

 

ପାଣି ନୋହିଲେ ବେଳ ଜାଣି

ଯୋଜନା କି କରିବ ପୁଣି

।।

 

 

 

 

ବିହନ ମୂଳରୁ ତ ଯିବ

ଚାଷୀର କରମ ଫାଟିବ

।।

 

 

ଏଥକୁ କହ କି ବିଚାର

କରୁଛି ଆମ୍ଭ ସରକାର

।।

 

 

ମିଶ୍ରୋବାଚ

 

 

 

ମିଶ୍ରେ କହନ୍ତି ଶୁଣ ଦାସେ

କହିବା ବୁଝାଇ ବିଶେଷେ

।।

 

 

ହୀରାଖଣ୍ଡର ହୀରାକୁଦ

ଶୁଣିଛ ତହିଁ ପଡ଼େ ବନ୍ଧ

।।

 

 

ସେପରି ବନ୍ଧ ଠାବେ ଠାବେ

ଦେଶରେ ବନ୍ଧା ହୁଏ ଏବେ

।।

 

 

ଏକା ନୁହେ ତ ଏ ଉତ୍କଳେ

ଭାରତ ଖଣ୍ଡେ ନାନା ସ୍ଥଳେ

।।

 

 

 

 

ଅମାପ ଧନ ବ୍ୟୟ ହୋଇ

ଜଳଭଣ୍ଡାର ମାନ ରହି

।।

 

 

ସାଇତି ଜଳ ରଖାହେବ

କ୍ଷେତକୁ ସେ ତ ଯୋଗାଇବ

।।

 

 

ମରୁଡ଼ି ବାଧା ନ ବାଧିବ

କିଆରୀ ଉର୍ବର ହୋଇବ

।।

 

 

ଫଳିବ ଫସଲ ପ୍ରଚୁର

ଦେଶର ଦୁଃଖ ହେବ ଦୂର

।।

 

 

ଦାସୋବାଚ

 

 

 

ଶୁଣି ଏମନ୍ତ ଦାସ କହେ

ଏ ସିନା ଚାଷୀ ଲାଗି ହୁଏ

।।

 

 

ସମସ୍ତେ ଚାଷୀ ତ ନୁହନ୍ତି

ବଞ୍ଚିବେ କହ କେଉଁ ଜାତି

।।

 

 

 

 

ଯେ ଜନ ନୁହଇଟି ଚାଷୀ

ସେ କି କରିବ ଏକାଦଶୀ

?

 

 

କେତେ ତ ଅଛନ୍ତି ବେକାର

କି କରିପାରେ ସରକାର

।।

 

 

ଖଟି ଖାଇବା ପାଇଁ ପନ୍ଥା

ଅଛି କି କହ ସେହି କଥା

।।

 

 

ମିଶ୍ରୋବାଚ

 

 

 

ବିବିଧ କଳ କାରଖାନା

ବିଧାନ କରିଛି ଯୋଜନା

।।

 

 

ଏତେ କହିଲେ ମିଶ୍ରେ ତହୁଁ

ଭାବନା କାହିଁପାଇଁ ଆଉ

?

 

 

ଗତରକୁଢ଼ୀ ଯେ ନୋହିବ

ଅବଶ୍ୟ ନିଯୋଗ ପାଇବ

।।

 

 

 

 

ଭାରତବର୍ଷେ ନାନା ସ୍ଥାନେ

କର୍ମେ ବଞ୍ଚିବେ ସୁଖେ ଜନେ

।।

 

 

ଦାନା ପଛକୁ କନା ଚିନ୍ତା

କହୁଛି ଶୁଣ ସେହି କଥା

।।

 

 

ଯହୁଁ ବସିବ ବହୁ କଳ

ଶୁଣ ହେ ହୋଇବ କି ଫଳ

।।

 

 

ପ୍ରଚୁର କପଡ଼ା ମିଳିବ

ବସ୍ତ୍ରର ଭାବନା ଘୁଞ୍ଚିବ

।।

 

 

ସିମେଣ୍ଟ, କାଗଜ ବହୁତ

ଏ ଦେଶେ ହୋଇବ ପ୍ରସ୍ତୁତ

।।

 

 

ବ୍ୟୟ ହୋଇବ ବହୁ ଧନ

ସଡ଼କ ହୋଇବ ନିର୍ମାଣ

।।

 

 

ପଦାର୍ଥ ନେବା ଆଣିବାକୁ

ଅସଜ ନୋହିବ କାହାକୁ

।।

 

 

ବିବିଧ ଶିଳ୍ପ ବ୍ୟବସାୟ

ବଢ଼ାଇ ଦେବ ଦେଶ ଆୟ

।।

 

 

ଇଚ୍ଛା ପ୍ରମାଣେ ଭୂମିଧନ

ନ ରହି ପାରିବ ସେ ପଣ

।।

 

 

ଲୋପ ହେଲାଣି ଜମିଦାରୀ

ଯୋଜନା ଥିଲାଟି ବିଚାରି

।।

 

 

ବହୁତ କରି ଉତ୍ପାଦନ

ଉଚିତ ଭାଗରେ ବଣ୍ଟନ

।।

 

 

କରିବେ ଅନୁଷ୍ଠାନ ମାନ

ସମବାୟ ତା ହେବ ନାମ

।।

 

 

ଆହୁରି ରହିଛି ଯୋଜନା

କେତେକ କର ପ୍ରବର୍ତ୍ତନା

।।

 

 

ଆର୍ଥନୀତିକ ସମାନତା

ଲାଗି ସୁଯୋଗ ଆଣିବ ତା

।।

 

 

ନଜର ଦେବେ ସରକାର

ଶିଳ୍ପ ବାଣିଜ୍ୟ ଚଳାଚଳ

।।

 

 

ଅତ୍ୟନ୍ତ ଆବଶ୍ୟକ ଯାହା

ଗରିବ ଯେହ୍ନେ ପାଏ ତାହା

।।

 

 

ଶ୍ରୋତାଏ ଆନନ୍ଦ ହୋଇଲେ

ମଙ୍ଗଳ ହେଉ ହେ ବୋଇଲେ

।।

 

 

ଶ୍ରୀ ଜଗନ୍ନାଥ ଚକ୍ରଧର

ଶୁଣିଲେ ଗୁହାରି ଆମ୍ଭର

।।

 

 

ଦାସୋବାଚ

 

 

 

ଦାସେ ବୋଇଲା ଭଲ ହେଲା

ବିଧାତା ସଦବୁଦ୍ଧି ଦେଲା

।।

 

 

ଯୋଜନା ସଫଳ ହୋଇବ

ସତେ ଆମ୍ଭର ଦୁଃଖ ଯିବ

।।

 

 

 

 

ଆଉ ଗୋଟିଏ ପ୍ରଶ୍ନ ଅଛି

କହ ହେ ଜାଣ ଯେବେ କିଛି

।।

 

 

କହିଲ ଅନ୍ନ ବସ୍ତ୍ର କଥା

ଉତ୍ତମ ହୋଇଅଛି ସଂସ୍ଥା

।।

 

 

ମାତ୍ର ସକଳ ନାଶ ଯାଇ

ଶିକ୍ଷାର ଯହିଁ ଠାବ ନାହିଁ

।।

 

 

ଶିକ୍ଷା ସଂସ୍କୃତି ଲାଗି କିଛି

ଯୋଜନା ମଧ୍ୟରେ କି ଅଛି

।।

 

 

ଅଯୋଗା ହେଲେ ଦେଶ ଲୋକ

କାହୁଁ ସେ ପାଇବେ ଆଲୋକ

?

 

 

ତେଣୁ ତୁମ୍ଭକୁ ପଚାରଇ

ଯୋଜନା ଅଛି କି ତା ପାଇଁ

।।

 

 

କଳା ବିହୀନେ ମାନବର

ଜୀବନ ହୋଇବ ଅସାର

।।

 

 

ଏତକ ମନର ଭାବନା

ଏଥକୁ ଅଛି କି ଯୋଜନା

।।

 

 

ଶୁଣି କହନ୍ତି ମଧୁ ମିଶ୍ରେ

କହୁଛି ଶୁଣ ସବିଶେଷେ

।।

 

 

ମିଶ୍ରୋବାଚ

 

 

 

ଶିକ୍ଷାସଂସ୍କୃତି ବିନେ କାହିଁ

ଦେଶର ଉନ୍ନତି ତ ନାହିଁ

।।

 

 

ମାତ୍ରକ ଶୁଣ ହେ ସଉସା

ଜଡ଼ ତ ଅଟଇ ପଇସା

।।

 

 

ଧନ ନ ଥାଇ ଥିଲେ ମନ

ହୋଇବ ଚିନ୍ତା ଅକାରଣ

।।

 

 

ତେଣୁ ପ୍ରଥମେ ଅର୍ଥନୀତି

ଉଚିତ ସିନା ଏ ଯୁକତି

।।

 

 

 

 

ଯୋଜନା ବିଶେଷ ଭାବରେ

ଅର୍ଥ ଆଗମ ଚିନ୍ତା କରେ

।।

 

 

ଏ ଅଟେ ଜାତୀୟ ଯୋଜନା

ଗଣତାନ୍ତ୍ରିକ କଳପନା

।।

 

 

ବହୁ ମତରେ ସିଦ୍ଧ ଯାହା

ସ୍ଥାନ ପାଇଲା ଏଥି ତାହା

।।

 

 

ପ୍ରଥମେ ଚିଠା ଲେଖାଗଲା

ବହୁତ ଆଲୋଚନା ହେଲା

।।

 

 

ସେ ଆଲୋଚନା ଅନୁସାରେ

ଯୋଗ ବିଯୋଗ ହେବାପରେ

।।

 

 

ଯୋଜନା କମିସନମାନେ

ଭାବନା ସିଦ୍ଧ କଲେ ମନେ

।।

 

 

ବେସରକାରୀ ସରକାରୀ

ଜନଙ୍କ ମତ ଠୁଳ କରି

।।

 

 

ଅଞ୍ଚଳ ସରକାର ତୁଲେ

କେନ୍ଦ୍ରର ଶାସକେ ଭାଳିଲେ

।।

 

 

ସକଳେ ହୋଇ ଏକମନା

ଗଢ଼ିଲେ ଜାତୀୟ ଯୋଜନା

।।

 

 

ନାହିଁ ଏଥିରେ ଆଡ଼ମ୍ବର

ବଚନ ଚାତୁରୀ ବେଭାର

।।

 

 

ଯାହା ସମ୍ଭବ ଉଚିତରେ

ଲାଗିବ ଜାତିର ହିତରେ

।।

 

 

ଅବସ୍ଥା ତଥ୍ୟ ପରିମାଣି

ସହଜ ରୂପରେଖ ଟାଣି

।।

 

 

ସହଜସାଧ୍ୟ ହେବ ଯାହା

ଲିହିଲେ ଯୋଜନାରେ ତାହା

।।

 

 

ଏମନ୍ତ ଶୁଣି ଦାସ ଭଣି

ସନ୍ଦେହ ମୋର ରହେ ପୁଣି

।।

 

 

ଯୋଜନା ସଫଳତା ପାଇଁ

ଯୋଗ ଅଯୋଗ ଦିଅ କହି

।।

 

 

ମିଶ୍ରୋବାଚ

 

 

 

ମିଶ୍ର କହନ୍ତି ଶୁଣ ଦାସେ

ସବୁ ତ ଦେଶ ହିତଆଶେ

।।

 

 

ଦେଶର ଶାସନ ଚଳଇ

ରାଜା ବୋଲନ୍ତେ କେହିନାହିଁ

।।

 

 

ଅଞ୍ଚଳ କେନ୍ଦ୍ର ସରକାର

ମଧ୍ୟରେ ସହଯୋଗ ମୂଳ

।।

 

 

ଜନତା ସହଯୋଗୀ ହେଲେ

ସଫଳ ହେବ ସବୁ ଭଲେ

।।

 

 

ଦଇବେ ଦେଶେ ହେଲେ ଗୋଳ

ଯୋଜନା ହୋଇବ ବିଫଳ

।।

 

 

 

 

ନ୍ୟାୟ ଶାସନ, ଶୁଦ୍ଧ ମନ

ଯୋଜନା ସିଦ୍ଧିର କାରଣ

।।

 

 

ଦାସୋବାଚ

 

 

 

ଦାସେ କହିଲେ ହୋଇ ତୋଷ

ଏହାକି ଯୋଜନାର ଶେଷ

?

 

 

କି ଅବା ଆଉ ଏହାପରେ

ଯୋଜନା ରହିଛି ମନରେ

।।

 

 

ମିଶ୍ରୋବାଚ

 

 

 

ମିଶ୍ରେ କହନ୍ତି ଶୁଣ ବାବୁ

ସରି ତ ଗଲାନାହିଁ ସବୁ

।।

 

 

ହୋଇଛି ଏ ଯେଉଁ ଯୋଜନା

ଏହିଟି ମାତ୍ରକ ସୂଚନା

।।

 

 

ଯୋଜନାର ଏ ଅନୁକୂଳ

ବାୟୁମଣ୍ଡଳ ସୃଷ୍ଟି ମୂଳ

।।

 

 

ଏ ଯୋଜନାରେ ଅଛି ଯାହା

କ୍ରମରେ କହବଇଁ ତାହା

।।

 

 

ବେକାର କେହି ନ ରହିବେ

ବିବିଧ କର୍ମରେ ଲାଗିବେ

।।

 

 

କ୍ଷୁଦ୍ର ବୃହତ ଜଳାଧାର

ରହିଛି ଯୋଜନା ମଧ୍ୟର

।।

 

 

କୁଟୀର ଶିଳ୍ପ ଉନ୍ନୟନ

ଯୋଜନା କରିଛି ବିଧାନ

।।

 

 

ସହର ଅବା ଗ୍ରାମବାସୀ

କର୍ମ କରିବେ ମିଳିମିଶି

।।

 

 

ନୂତନ କଳ କାରଖାନା

ବସିବ ଅଛି କଳପନା

।।

 

 

ବଡ଼ ଯେ କାରଖାନା ଥିବ

ତହିଁରେ ଟିକସ ବସିବ

।।

 

 

ଛୋଟ ଶିଳ୍ପର ବୃଦ୍ଧି ପାଇ

ଉପଯୋଗରେ ଆସିବଇଁ

।।

 

 

ମଧ୍ୟମ ଶ୍ରେଣୀ ଲୋକ ଯେତେ

ସୁବିଧା ନପାଇବେ ତେତେ

।।

 

 

ଅଳପ ଦିନେ ଅର୍ଥନୀତି

ଲଭିବ ଅବଶ୍ୟ ପ୍ରଗତି

।।

 

 

ମଧ୍ୟମବିତ୍ତ ଲୋକେ ତେବେ

ସୁଯୋଗ ଅବଶ୍ୟ ଲଭିବେ

।।

 

 

ଏମନ୍ତ ପାଞ୍ଚ ବରଷର

ଯୋଜନା କଥା ହେଲା ସାର

।।

 

 

ଏତିକି କଥା ମନେ ରଖ

ଆହୁରି ଅଛି ତ ଅନେକ

।।

 

 

ଠିକେ ଠିକେ ଏ କଥାମାନ

ଆଜ ମୁଁ କରିଲି ବୟାନ

।।

 

 

ଗୈାର-ଚନ୍ଦ୍ରିକା ସମ ଏହା

ବର୍ଣ୍ଣନା କଲି ଆଜି ଯାହା

।।

 

 

ଭଣଇଁ ଜଣେ ଦେଶବାସୀ

ବଚନ ନହେଉ ମୋ ବାସି

।।

 

 

ପାଶୋରି ମନୁ ଭେଦଭାବ

ସହଯୋଗରେ ଚିତ୍ତ ଦେବ

।।

 

 

ଆମ୍ଭେ ତ ଭାରତ ସନ୍ତାନ

ହୋଇ ସକଳେ ଏକମନ

।।

 

 

କରମ କରିବା ସାଧନ

ଅଥବା ବରିବା ମରଣ

।।

 

 

ଜନନୀ ପାଦ ବେନି ଛୁଇଁ

ଆସ ପ୍ରତିଜ୍ଞା କର ଭାଇ

।।

 

 

ଯୋଜନା ହୋଇବ ସଫଳ

ଲୋଡ଼ା କେବଳ ମନବଳ

।।

 

 

ସାହା ହୋଇବେ ଜଗନ୍ନାଥ

ହସିବ ସୁନାର ଭାରତ

।।

 

 

ଭବିଷ୍ୟ ହୋଇବ ଉଜ୍ଜ୍ୱଳ

କଥା ରହିବ କାଳ କାଳ

।।

 

 

କାମନା ହୋଇବ ସଫଳ

ଆନନ୍ଦେ ହରି ହରି ବୋଲ

।।

 

ଇତି ଶ୍ରୀ ଯୋଜନା ଭାଗବତେ ସ୍ୱାଧୀନ ପୁରାଣ କଥାରମ୍ଭେ

ନାମ ପ୍ରଥମୋଽଧ୍ୟାୟ ।

***

 

ଦ୍ୱିତୀୟ ଅଧ୍ୟାୟ

 

ଦାସୋବାଚ

 

 

 

ଶୁଣି ସାନନ୍ଦ ଗ୍ରାମବାସୀ

ଦାସେ କହିଲେ ହସି ହସି

।।

 

 

ସକଳ ଶୁଣିଗଲି ମୁହିଁ

ସନ୍ଦେହ ମନୁ ତୁଟୁ ନାହିଁ

।।

 

 

ଏତ ଅଳପ କଥା ନୁହେଁ

କହିଲେ ନ ଚଳିବ ମୁହେଁ

।।

 

 

ବହୁତ ଧନ ହେବ ବ୍ୟୟ

କିଏ ବା କରିଛି ସଞ୍ଚୟ

?

 

 

କାହୁଁ ଆଣିବେ ସରକାର

ତୁଲାଇବାକୁ ବ୍ୟୟଭାର

?

 

 

କଳ୍ପନା କରିଛନ୍ତି କେତେ

ଜାଣକି ବ୍ୟୟ ହେବ ଏଥେ

।।

 

 

ମିଶ୍ରୋବାଚ

 

 

 

ମିଶ୍ରେ କହନ୍ତି ଶୁଣ ଦାସେ

ଧନ୍ୟ ବୋଲିବା ସେ ସାହସେ

।।

 

 

ଦୁଇ ହଜାର ଅଣଷଠି

କୋଟି ଟଙ୍କାର କଥା ଏ ଟି

।।

 

 

ଯୋଜନା ସାର୍ଥକ ହୋଇବ

ଯେବେ ଏ ଧନ ବ୍ୟୟ ହେବ

।।

 

 

କେନ୍ଦ୍ର, ଅଞ୍ଚଳ ଦୁହେଁ ମିଶି

ବାର୍ଷିକ ରାଜସ୍ୱରୁ କିଛି

।।

 

 

ସଞ୍ଚିବେ ହୋଇଅଛି ଥୟ

ଯୋଜନା ଲାଗି ହେବ ବ୍ୟୟ

।।

 

 

ସଞ୍ଚିବ ରେଲବାଇ କିଛି

ସେ କଥା ଧରା ଯାଇଅଛି

।।

 

 

ପାଞ୍ଚ ବରଷ କାଳ ଧରି

ସଞ୍ଚିବେ ଅର୍ଥ ଏହିପରି

।।

 

 

ସାତଶ ଅଠତ୍ରିଶ କୋଟି

ଏ ଦୁଇଥିରୁ ମିଳିବଟି

।।

 

 

ଦେଶରୁ ମଗାହେବ ଋଣ

ମିଶିବ ଆସି ସେହି ଧନ

।।

 

 

ପାଞ୍ଚଶ କୋଡ଼ିଏ କୋଟି ସେ

ମିଳିବା ପରି ଆଶା ଦିଶେ

।।

 

 

ଷ୍ଟାର୍ଲିଙ୍ଗ୍ ପାଣ୍ଠି ନାମେ ଯାହା

ବିଲାତ ଦେଶେ ଅଛି ତାହା

।।

 

 

ଦୁଇଶ ନବେ କୋଟି ଟଙ୍କା

ତହୁଁ ମିଳିବ କର ଲେଖା

।।

 

 

ଶହେ ଛପନ କୋଟି ଅର୍ଥ

ବାହାର ସାହାଯ୍ୟ ଏ ତଥ୍ୟ

।।

 

 

ଆହୁରି ଅଛି ମିଳିବାର

ଆଶା କରନ୍ତି ସରକାର

।।

 

 

ମିଳୁ ନ ମିଳୁ ଏହି ଧନ

ବସାଇ ଟିକସ ମାଗଣ

।।

 

 

ତିନିଶ ପଞ୍ଚଷଠି କୋଟି

ଏଥୁ ମିଳିବା ପ୍ରମାଣଟି

।।

 

 

ଏ ରୂପ ସବୁ ହେଲେ ମୋଟ

ନ ହେବ ବ୍ୟୟକୁ ନିଅଣ୍ଟ

।।

 

 

ଦେଶର ମଙ୍ଗଳ ଅର୍ଥରେ

ଲାଗିବ ନାନା ନିଯୋଗରେ

।।

 

 

ଜଳସେଚନ କୃଷି ଆଦି

ବିଧିରେ ବିଜୁଳି ସମ୍ପାଦି

।।

 

 

ଗ୍ରାମମଙ୍ଗଳ ଥଇଥାନ

ଶିଳ୍ପ ଯୋଗାଣ କର୍ମମାନ

।।

 

 

ସାଧିତ ହେବ ଏହି ଧନେ

ଦେଶ ପୂରିବ ଧନଧାନ୍ୟେ

।।

 

 

ଦାସୋବାଚ

 

 

 

ଦାସେ କହନ୍ତି ମିଶ୍ରେ ଶୁଣ

କର ହେ ସନ୍ଦେହ ଭଂଜନ

।।

 

 

ଅର୍ଥର ମୂଳେ ଏ ସମସ୍ତ

ରାଜସ୍ୱ ହେଲା ସାରତତ୍ତ୍ୱ

।।

 

 

ନିଅଣ୍ଟ ହେଲେ ରାଜ୍ୟେ ଧନ

ତହିଁକି ହେବ କି ବିଧାନ

।।

 

 

ମିଶ୍ରେ କହିଲେ ସେଥିପାଇଁ

ଉପାୟ ଶୁଣ କହୁଥାଇଁ

।।

 

 

ଆଦାୟ ରାଜସ୍ୱକୁ ଯେବେ

ଖରଚ ବଳିପଡ଼େ ତେବେ

।।

 

 

 

 

ଗଚ୍ଛିତ ପାଣ୍ଠିରୁ ସେ ଧନ

ହୋଇ ପାରିବ ଆୟୋଜନ

।।

 

 

ରିଜର୍ଭ ବ୍ୟାଙ୍କରୁ ଅଥବା

ସେ ବ୍ୟୟ ହୋଇଯିବ ନିର୍ଭା

।।

 

 

ବଳକା ଖର୍ଚ୍ଚ ତାକୁ କହି

ନିଅଣ୍ଟ ବେଳ ସାହା ଏହି

।।

 

 

ଦାସେ କହିଲେ ଶୁଣି ଏହା

କହ ହେ ମିଶ୍ରେ ପୁଚ୍ଛେଁଯାହା

।।

 

 

ଅଧିକ ନୋଟ ଛପାଇଲେ

ଏ ବ୍ୟୟ ନୋହିବ ବି ଭଲେ

?

 

 

ଏ ଭଳି ମୂଦ୍ରାସ୍ଫୀତି ପାଇଁ

ଦେଶର ଅବସ୍ଥା କି ନାହିଁ

।।

 

 

ଉପକାର ବା ଅପକାର

ବୁଝିବା ପାଇଁ ମନ ମୋର

।।

 

 

ମିଶ୍ରୋବାଚ

 

 

 

ମିଶ୍ରେ କହନ୍ତି ଶୁଣ ଭାଇ

ସେ କଥା କହୁଛି ବୁଝାଇ

।।

 

 

ବଳକା ଖର୍ଚ୍ଚ ହୋଇବାରୁ

ଅଧିକ ଟଙ୍କା ହୁଏ ଚାଲୁ

।।

 

 

ସବୁ କ୍ଷେତ୍ରରେ କିନ୍ତୁ ଭାଇ

ମୂଦ୍ରାସ୍ଫୀତି ଟି ହୁଏ ନାହିଁ

।।

 

 

ନ ବଢ଼ି ଦେଶେ ଉତ୍ପାଦନ

ଚାଲୁ ହୋଇଲେ ବେଶୀ ଧନ

।।

 

 

ମୂଦ୍ରାସ୍ଫୀତିଟି ହୁଏ ଜାଣ

ଏ କଥା ଅଶୁଭ ଲକ୍ଷଣ

।।

 

 

ଏ ପ୍ରଥା ରୋକିବାର ପାଇଁ

ନାନା ବ୍ୟବସ୍ଥା ଅଛି ହୋଇ

।।

 

 

 

 

ଗତ ଯୁଦ୍ଧକୁ ହେତୁ କର

ଥିଲେ ଇଂରାଜ ସରକାର

।।

 

 

ଆମ ଦେଶର ଆମଦାନି

ପଦାର୍ଥ ନେଇଥିଲେ କିଣି

।।

 

 

ଦେଇ ନ ଥିଲେ ମୂଲ୍ୟ ତାର

ଅନେକ ଧନ ଏ ପ୍ରକାର

।।

 

 

ତାଙ୍କ ଦେଶରେ ଅଛି ରହି

ଆମ୍ଭ ଗଚ୍ଛିତ ପାଣ୍ଠି ସେହି

।।

 

 

ପ୍ରତି ବରଷ ସେହି ଧନ

ଦିଅନ୍ତି କିଛି ପରିମାଣ

।।

 

 

ପଇଠ କରନ୍ତି ସେ ଯାହା

ଆମ୍ଭ ବଳକା ଧନ ତାହା

।।

 

 

ଯେତିକି ଦିଅନ୍ତି ସେ ଧନ

ବ୍ୟୟ ହୁଏ ସେ ପରିମାଣ

।।

 

 

ଯୋଜନା ବ୍ୟବସ୍ଥାଟି ଥୟ

ମୂଦ୍ରାସ୍ଫୀତିର ନାହିଁ ଭୟ

।।

 

 

ତଥାପି ହୋଇଲେ କଳଣା

ଉନ୍ନତିମୂଳକ ଯୋଜନା

।।

 

 

ମୂଦ୍ରାସ୍ଫୀତିର ସମ୍ଭାବନା

ଅଛିଟି ମନେ କର ଘେନା

।।

 

 

ଏଥକୁ ଆମ୍ଭ ସରକାର

ଅଟନ୍ତି ଦୃଢ଼ ପରିକର

।।

 

 

କେସନେ ଏହି ମୂଦ୍ରାସ୍ଫୀତି

ଦେଶରେ ନୋହିବେ ଉତ୍ପତ୍ତି

।।

 

 

ତହିଁକି ବିଶେଷ ବିଧାନ

ଖଞ୍ଜି ଅଛନ୍ତି ବୁଦ୍ଧିମାନ

।।

 

 

ଟିକସ ଋଣ ରୂପେ ଯେବେ

ଦେଶରୁ ଆୟ ହେବ ତେବେ

।।

 

 

ବଳକା ଖର୍ଚ୍ଚ ଊଣା ହେବ

ମୂଦ୍ରାସ୍ଫୀତିର ଭୟ ଯିବ

।।

 

 

ସ୍ୱଳ୍ପ ସଞ୍ଚୟ କଲେ ଜନ

ସଂକଟ ହେବ ନିବାରଣ

।।

 

 

ଦାସୋବାଚ

 

 

 

ଦାସେ କହିଲେ ଏହା ଶୁଣି

ସଂଶୟ ଏକ ଅଛି ପୁଣି

।।

 

 

ବିଦେଶୀ ଧନ ସହାୟତା

ଆମ୍ଭ ଅହିତ ନୁହେଁ କି ତା

।।

 

 

ଆମ୍ଭର ଦେଶ ତ ସ୍ୱାଧୀନ

ହୋଇବୁଁ ସିନା ପରାଧୀନ

।।

 

 

ବିଦେଶୁ ଆଣିଲେ ସାହାଯ୍ୟ

ହୋଇବ ତେବେ କେଉଁ କାର୍ଯ୍ୟ

?

 

 

 

 

 

 

ମିଶ୍ରୋବାଚ

 

 

 

ମିଶ୍ରେ କହିଲେ ଶୁଣ ଦାସେ

ପରାଧୀନତା ନୁହଁଇ ସେ

।।

 

 

ରାଜନୀତିକ ପରାଧୀନ

ନୋହିବା ଆମ୍ଭେ କଦାଚନ

।।

 

 

ଯେବେ ଉନ୍ନତି ଲାଭ ପାଇଁ

ଧନ ଆମ୍ଭର ଲୋଡ଼ା ହୋଇ

।।

 

 

ତହିଁକୁ ବିଦେଶରୁ ବିତ୍ତ

ଗ୍ରହଣ ନୋହେ ଅନୁଚିତ

।।

 

 

ଉନ୍ନତ ଦେଶ ଯେତେ ଯହିଁ

ବାହାରୁ ଧନ ଆସି ତହିଁ

।।

 

 

ଉନ୍ନତି ହୋଇଛି ସାଧିତ

ଏ ନୀତି ନୁହେଁ ଅଣହିତ

।।

 

 

 

 

ପୁଣି ଆମ୍ଭର ଯୋଜନାରେ

ବାହାର ସାହାଯ୍ୟ ପ୍ରକାରେ

।।

 

 

ଧରାଯାଇଛି ଯେଉଁ ଧନ

ବେଶୀ ନୋହେ ତା ପରିମାଣ ।।

 

 

 

ଖରଚ ସଙ୍ଗେ ତୁଳନାରେ

ବହୁତ ନୋହେ କଳନାରେ

।।

 

 

ଦାସୋବାଚ

 

 

 

ଦାସେ କହନ୍ତି ଶୁଣି ଏହା

ବୁଝିଲୁ କହିଗଲ ଯାହା

।।

 

 

ଭାବୁଛି ଏତେ ମାନସରେ

ଯେବେ ଏ ସାହାଯ୍ୟ ନମିଳେ

।।

 

 

ତେବେ ଏ ଦେଶବାସୀ ସବୁ

ସେ ଧନ ଦେବେ ସିନା ବାବୁ

।।

 

 

 

 

ଯଥାର୍ଥ କହିଅଛ ଦାସେ

ଉତ୍ତର ଦେଲେ ମଧୁମିଶ୍ରେ

।।

 

 

ସାହାଯ୍ୟ ଯଦି ନ ମିଳିବ

ଦେଶରୁ ଋଣ ମଗାଯିବ

।।

 

 

ଅଥବା ଟିକସ ବଢିଲେ

ଯୋଜନା ସିଦ୍ଧ ହେବ ଭଲେ

।।

 

 

ବଳକା ଖର୍ଚ୍ଚ ନୀତି ଧରି

ଯୋଜନା ହେବ କାର୍ଯ୍ୟକାରୀ

।।

 

 

ତ୍ୟାଗଟି ମୂଳ ମନ୍ତ୍ର ତାର

ତହିଁକି ହୋଇବା ତତ୍ପର

।।

 

 

ଦାନା କନା ଯା ମିଳୁଅଛି

ତାହାର ଥୟ ନାହିଁ କିଛି

।।

 

 

ଊଣା ଅଧିକ ହୋଇପାରେ

ଆଗତ ପାଞ୍ଚ ବରଷରେ

।।

 

 

କିନ୍ତୁ ଏ ରୂପ ତ୍ୟାଗଫଳ

ଭବିଷ୍ୟ ନିଶ୍ଚୟ ଉଜ୍ଜ୍ୱଳ

।।

 

 

ପୂର୍ବେ ତ କହିଅଛି ମୁହିଁ

ଯୋଜନା ଶେଷ ହେଉନାହିଁ

।।

 

 

ଏହାକୁ ପ୍ରାଥମିକ ଜାଣ

ପାଞ୍ଚ ବରଷ ପରିମାଣ

।।

 

 

ଏକାଳେ ଯେଉଁ କାର୍ଯ୍ୟହେବ

ଆଖିକୁ ଆୟ ନ ଦିଶିବ

।।

 

 

ଦଶ ବା ପନ୍ଦର ବରଷେ

ସୁଫଳ ଫଳିବ ବିଶେଷେ

।।

 

 

ତଥାପି ପାଞ୍ଚ ବରଷରେ

ଆୟ ବଢ଼ିବ ନିଶ୍ଚିତରେ

।।

 

 

ଏବେ ହୋ ନଅକୋଟି ଟଙ୍କା

ଦେଶର ଆୟ ରୂପେ ଲେଖା

।।

 

 

ପାଞ୍ଚ ବରଷ ଗଲେ କଟି

ତାହା ହୋଇବ ଦଶ କୋଟି

।।

 

 

ଏଣୁ ଅଳପ ଆୟ ବୋଲି

ବିଚାର କରନାହିଁ ଖାଲି

।।

 

 

ଏଥୁଁଅଧିକ ଅସମ୍ଭବ

ସୁବୁଦ୍ଧି ମନେ ବିଚାରିବ

।।

 

 

ଦେଶର ଅବସ୍ଥାକୁ ଚାହିଁ

ଅଧିକ ଆଶା ଏବେ ନାହିଁ

।।

 

 

ଏ ଅଟେ ଅର୍ଥର ବିଚାର

କହିଲି ଯାହା କଥାସାର

।।

 

 

ଆଜିର ସଭା ଭଙ୍ଗହେଉ

କାଲି କହିବି କିଛି ଆଉ

।।

 

 

ଖାଦ୍ୟ କୃଷିର କଥା ଯେତେ

ଆସିବ ଶୁଣିବ ସମସ୍ତେ

।।

 

 

କହିବି ସକଳ ବୁଝାଇ

ଦେଶ ତ ଆମ୍ଭର ଅଟଇ

।।

 

 

ସକଳେ ହୋଇ ଏକମନ

କର ହେ ମଙ୍ଗଳ ବିଧାନ

।।

 

 

ସାହା ହୋଇବେ ଚଉବାହା

ସେ ଏକା ଜଗତର ନାହା

।।

 

ଇତିଶ୍ରୀ ଯୋଜନା ଭାଗବତେ ଧନ ବିଭାଗ ବର୍ଣ୍ଣନେ

ନାମ ଦ୍ୱିତୀୟ ଅଧ୍ୟାୟ ।

***

 

Unknown

ତୃତୀୟ ଅଧ୍ୟାୟ

 

ଆଗତ ଆଦ୍ୟ ମାର୍ଗଶୀର

ଯୋଗେ ସେ ଦିନ ଗୁରୁବାର

।।

 

 

ଲକ୍ଷ୍ମୀ ପୂଜନ ଘରେ ଘରେ

ସକଳେ ଆନନ୍ଦ ମନରେ

।।

 

 

ଦାସଙ୍କ ଚଉପାଢ଼ୀ ଠାରେ

ଅଧିକାରୀଙ୍କୁ ପୂଚ୍ଛା କଲେ

।।

 

 

କହ କହ ଯେ ଅଧିକାରୀ

ସକଳ କଥା ପଛ କରି

।।

 

 

‘‘ଅନ୍ନ ବିହୁନେ ହଂସ ହାନି

ଯୋଗ ସାଧିବ କାହା ଘେନି’’

।।

 

 

ଭାଗବତର ବାଣୀ ଏହା

ପାଶୋରି ଯାଉଛକି ତାହା

?

 

 

 

 

ପେଟ ଲାଗିତ ସବୁ ନାଟ

କି ଲାଭ ବସି ଶୂନ୍ୟ ହାଟ

?

 

 

ଆଗେ ଯୋଗାଡ଼ି ଖାଦ୍ୟକଥା

ପିଣ୍ଡକୁ ଗଢ଼ିଲା ବିଧାତା

।।

 

 

ଏ ଘେନି ଖାଦ୍ୟ କଥା କହ

ତେବେ ଏ ମନ ହେବ ଥୟ

।।

 

 

ଖାଦ୍ୟର ଅଭାବ ମୋଚନ

ତହିଁକି କି ଅଛି ବିଧାନ

।।

 

 

କୃଷି ତ ଜୀବିକା ଆମ୍ଭର

ତା ବିନେ ସୃଷ୍ଟି ନାରଖାର

।।

 

 

ଅଧିକାରୀ ଉବାଚ

 

 

 

ଏ କଥା ଶୁଣି ଅଧିକାରୀ

କହିଲେ ଶୁଣ କର୍ଣ୍ଣଡ଼େରି

।।

 

 

 

 

ଯୋଜନା ମଧ୍ୟେ କୃଷିପାଇଁ

ଅଧିକ ବିଚାର ଅଛଇ

।।

 

 

ଯୋଜନା କର୍ତ୍ତା ଯେଉଁମାନେ

ବିଦେଶୀ ନୁହନ୍ତି ସେମାନେ

।।

 

 

ଆମର ଜୀଅନ୍ତେ ଜୀଇବେ

ଆମ୍ଭ ମରଣେ ନାଶଯିବେ

।।

 

 

ଆମ୍ଭ ସଭିଙ୍କ ଭାଗ୍ୟଡ଼ୋରି

ଏକା ସୂତାକୁ ମୋଟ କରି

।।

 

 

ବଳି ତ ଗଢ଼ିଛି ବିଧାତା

କିଏ ବା ନ ଜାଣେ ଏ କଥା

।।

 

 

ତେଣୁ ଏ ଦେଶ କଥାମାନ

ବିଚାରେ ସର୍ବେ ସାବଧାନ

।।

 

 

ଘୁଞ୍ଚିବା ପାଇଁ ଅନ୍ନଚିନ୍ତା

ହୋଇଛି ବିଶେଷ ବ୍ୟବସ୍ଥା

।।

 

 

ବୃଦ୍ଧି ନୋହିଲେ ଉତ୍ପାଦନ

ସକଳ କଥା ଅକାରଣ

।।

 

 

ତେଣୁ ହେ କୃଷି ପଦେଏକା

ବ୍ୟୟଟି ଲେଖିଲେ ଅଧିକା

।।

 

 

ଦୁଇ ସହସ୍ରଅଣଷଠି

କୋଟି ଟଙ୍କାର ବ୍ୟବସ୍ଥାଟି

।।

 

 

ବ୍ୟୟ ହୋଇବ ଯୋଜନାରେ

ତହିଁରୁ କୃଷି ବାବଦରେ

।।

 

 

ତିନିଶ ଏକଷଠି କୋଟି

କେବଳ ବ୍ୟୟ ହୋଇବଟି

।।

 

 

ଭୂମି କର୍ଷଣେ କିସ ହେବ

ଜଳ ବିହୁନେ ନାଶଯିବ

।।

 

 

ସାର ବିଚାରି ଏ କଥାଟି

ଏକଶ ଅଠଷଠି କୋଟି

।।

 

 

ଜଳସେଚନ ଲାଗି ବ୍ୟୟ

ହୋଇବ ବୋଲି ଅଛି ଥୟ

।।

 

 

ଦୁଇଶ ଛଅଷଠି କୋଟି

ବ୍ୟୟରୁ ରଖିଛନ୍ତି କାଟି

।।

 

 

ଜଳସେଚନ ବହୁ-ମୁଖୀ

ଯୋଜନା ତଳେ ତାକୁ ଲେଖି

।।

 

 

ଏ ମଧ୍ୟେ ବିଜୁଳି ଯୋଗାଣ

ହେବାର ଅଛି ଆୟୋଜନ

।।

 

 

ଖର୍ଚ୍ଚରୁ ଶତକରା ଧରି

ବତ୍ରିଶ ଭାଗ ଏହିପରି

।।

 

 

ବ୍ୟୟିତ ହେବ କୃଷିକର୍ମେ

ଯୋଜନା ଗଢ଼ା ଏହି ମର୍ମେ

।।

 

 

ଏ ଭାବେ ଖାଦ୍ୟର ଅଭାବ

ହୋଇବ ନିଶ୍ଚୟ ଲାଘବ

।।

 

 

ପରଦେଶକୁ ନ ଚାହିଁବା

ସ୍ୱଚ୍ଛନ୍ଦେ କାଳ କାଟିନେବା

।।

 

 

ଦାସୋବାଚ

 

 

 

ଦାସେ କହିଲେ ଅଧିକାରୀ

ବିଷୟ କହ ହେ ବିସ୍ତାରି

।।

 

 

କହିଲ କଥାଟିଏ ଭଲ

ମନରେ ଗୟାଳି ରଖିଲ

।।

 

 

ପରଦେଶରୁ ଖାଦ୍ୟ ଆସି

ପୋଷି ହେଉଛୁ ଦେଶବାସୀ

।।

 

 

ଏତେକେ ଆମ୍ଭ ବଡ଼ପଣ

ସରିଯାଉଛି ବୋଲି ଜାଣ

।।

 

 

ଆମ୍ଭରି ଅପାରଗ ପଣେ

ଏକଥା ସିନା ଶୁଣୁ କର୍ଣ୍ଣେ

।।

 

 

 

 

ସବୁରି ମୂଳେ ସହଯୋଗ

ବିଚାରିବାର କଥା ଆଗ

।।

 

 

ଜାଣ କି ଆହେ ଅଧିକାରୀ

!

ବାହାର ଦେଶୁଁ ଏହିପରି

।।

 

 

ଆସେ ଯେ ଖାଦ୍ୟ ଦ୍ରବ୍ୟମାନ

କେତେ ତହିଁର ପରିମାଣ

।।

 

 

ବିଅର୍ଥେ ବହୁ ଧନ ଦେଇ

ବିଦେଶୁଁ ଖାଦ୍ୟ ଆଣୁ ବହି

।।

 

 

ଚାହୁଁ ଜଳକା ପରି ଆମ୍ଭେ

ଅନାଇଁ ରହିଅଛୁଁ ସର୍ବେ

।।

 

 

ମୁଣ୍ଡର ଝାଳ ତୁଣ୍ଡେ ମାରି

ଖଟି ତ ଯାଉଁ ଭୋକେ ମରି

।।

 

 

ଏ ଧନ ବିଦେଶକୁ ଯାଏ

ବୁଲୁଁ ବାବନା-ଭୂତ ପ୍ରାୟେ

।।

 

 

ହେ ଅଧିକାରୀ, ଜାଣ ଯେବେ

ସକଳ କଥା କହ ତେବେ

।।

 

 

ଚେତିବେ ଆମ୍ଭଦେଶ ଲୋକେ

କମର ଭିଡ଼ିଦେବେ ଆପେ

।।

 

 

କେତେ ଆଣୁଛୁଁ ବିଦେଶରୁ

କେତେ ଗଣୁଛୁଁ ଆମ୍ଭେ ଘରୁ

।।

 

 

କାହିଁକି ହୁଏ ଏ ଅବସ୍ଥା

କି ତାର ପ୍ରତିକାର ପନ୍ଥା ?

।।

 

 

ଅଧିକାରୀ ଉବାଚ

 

 

 

ଶୁଣ ହୋ ଦାସେ ଦେଇ ମନ

କରୁଛି ସକଳ ବୟାନ

।।

 

 

ଏତେ ବୋଲି ସେ ଅଧିକାରୀ

କହନ୍ତି ବିଷୟ ବିସ୍ତାରି

।।

 

 

 

 

ଗତ କେତେକ ବର୍ଷହେଲା

ଖାଦ୍ୟ ଏ ଦେଶେ ନଅଣ୍ଟିଲା

।।

 

 

ତେଣୁ ବିଦେଶୁ ଖାଦ୍ୟଦ୍ରବ୍ୟ

ଆଣିବା ହୋଇଛି କର୍ତ୍ତବ୍ୟ

।।

 

 

ପ୍ରାୟ ତିରିଶ ଲକ୍ଷ ଟନ୍‌

ଆମଦାନୀର ପରିମାଣ

।।

 

 

ଟଙ୍କା ତେତିଶ କୋଟି ପ୍ରାୟ

ଏହା ଫଳରେ ପଡ଼େ ଦେୟ

।।

 

 

ଯେ ଅନୁପାତେ ଲୋକସଂଖ୍ୟା

ବଢ଼ୁଛି ଦେଖି ହୁଏ ଶଙ୍କା

।।

 

 

ଅଧିକ ଶସ୍ୟ ଉତ୍ପାଦନ

ବିଧାନ ନ କଲେ ବହନ

।।

 

 

ବଂଶ ବଢ଼ଇ ଯେଉଁପରି

ଭୋକରେ ଦେଶ ଯିବ ସରି

।।

 

 

ପେଟ ବଢ଼ିବ ଚାହୁଁ ଚାହୁଁ

ଖାଦ୍ୟ ମିଳିବ ଆଉ କାହୁଁ

?

 

 

ବର୍ତ୍ତମାନର ଯେ ଅଭାବ

ଦୁଇ ଗୁଣରେ ବୃଦ୍ଧିହେବ

।।

 

 

ଗଣନା କରି ଏ ପ୍ରକାର

ଯେ ଭଳି ହୋଇଛି ବିଚାର

।।

 

 

କହୁଛି ଶୁଣ ମନ ଦେଇ

ବଳିବ ଅଭାବଟି ଯାଇ

।।

 

 

ଯୋଜନା କରିଛି ଭିଆଣ

ଅଧିକ ଶସ୍ୟ ଉତ୍ପାଦନ

।।

 

 

ପାଞ୍ଚ ବରଷ କାର୍ଯ୍ୟକାରୀ

ହୋଇଲେ ଯୋଜନା ଏପରି

।।

 

 

ନିଅଣ୍ଟ କାହିଁ ଉଭାଇବ

ଦଶ ଗୁଣାରେ ଲାଭ ହେବ

।।

 

 

ପରକୁ ଆଉ ନ ଚାହିଁବା

ଆପଣା ସୁଖରେ ଚଳିବା

।।

 

 

ଦାସୋବାଚ

 

 

 

ଦାସେ କହିଲେ ଏହା ହେଲେ

ମୂଲ୍ୟତ ଊଣା ହେବ ଭଲେ

।।

 

 

ଅଧିକ ଶସ୍ୟ ଉପୁଜିବ

ଦେଶର ଦୁର୍ଦ୍ଦିନ ଘୁଞ୍ଚିବ

।।

 

 

ଯୋଜନା ହେଲେ ଫଳବତୀ

ନ ଥିବ ଦେଶର ଦୁର୍ଗତି

।।

 

 

ଦର ନିଶ୍ଚୟ ହେବ ଊଣା

କି କୁହ ଅଧିକାରୀ ନନା

!

 

 

ଅଧିକାରୀ ଉବାଚ

 

 

 

ଶୁଣି କହନ୍ତି ଅଧିକାରୀ

ସେ ଆଶା କରୁଛ କିପରି ?

।।

 

 

ଯୋଜନା ଶେଷଭାଗେ ଅବା

ଦର କମିବ ବିଚାରିବା

।।

 

 

ଅଧିକ ପରିମାଣେ ତାହା

କମିବ ନ ବିଚାର ଏହା

।।

 

 

ସଂସାରେ ଯହିଁ ଦୃଷ୍ଟି ଦେବ

ଧାନର ଅଭାବ ଶୁଣିବ

।।

 

 

ଚାଉଳ ବଦଳରେ ଯେବେ

ଗହମ ଖାଦ୍ୟ ଚଳାଇବେ

।।

 

 

ଖାଦ୍ୟସଂକଟ ବହୁ ଗୁଣ

ଊଣା ହୋଇବ ନିଶ୍ଚେ ଜାଣ

।।

 

 

ମାଣ୍ଡିଆ ଅଥବା ବାଜରା

ମକା ହୋଇଲେ ଖାଦ୍ୟ ଧାରା

।।

 

 

ଖାଦ୍ୟସଂକଟ କିୟଦଂଶ

ହୋଇବ ଊଣା ତ ଅବଶ୍ୟ

।।

 

 

ପଡ଼ିଛି ପଙ୍କାଳ ପଡ଼ିଆ

ତାହାକୁ କରିଲେ ଉଠିଆ

।।

 

 

ଉତ୍ତମ ଖତ ସାର ଦେଇ

କିଆରୀ ଉର୍ବର କରାଇ

।।

 

 

ଉତ୍କୃଷ୍ଟ ମଞ୍ଜି ବୁଣା ହେବ

ଅବଶ୍ୟ ସୁଫଳ ଫଳିବ

।।

 

 

ଦାସୋବାଚ

 

 

 

କହିଲେ ଦାସେ, ଅଧିକାରୀ

ମୁଁ ଅଛି ମନରେ ବିଚାରି

।।

 

 

କଳ ଲଙ୍ଗଳେ ଚାଷ କଲେ

କ୍ଷେତେ ଅଧିକ ଫଳ ଫଳେ

।।

 

 

ଆମ୍ଭ ଦେଶରେ ସେ ପ୍ରଣାଳୀ

ହେବକି ନାହିଁ କାର୍ଯ୍ୟକାରୀ

?

 

 

 

 

ଅଧିକାରୀ ଉବାଚ

 

 

 

ଶୁଣି କହନ୍ତି ଅଧିକାରୀ

କହୁଛି ବୃତାନ୍ତ ବିସ୍ତାରି

।।

 

 

କଳ ଲଙ୍ଗଳେ ଚାଷ କଥା

ନୁହଇ ଉଚିତ ସର୍ବଥା

।।

 

 

ପଡ଼ିଆ ବଣ ବୁଦା ଆଦି

ପଡ଼ିଥିବ ଯେ ଅନାବାଦି

।।

 

 

କଳ ଲଙ୍ଗଳ ଲୋଡ଼ା ତହିଁ

ଅନ୍ୟଥା ଆବଶ୍ୟକ ନାହିଁ

।।

 

 

ଅବା ଶ୍ରମିକ ଯେବେ ନାହିଁ

କଳ ଲଙ୍ଗଳ ଲୋଡ଼ା ହୋଇ

।।

 

 

ଏହି କାରଣୁ ଯୋଜନାରେ

କଳ ଲଙ୍ଗଳ ପ୍ରସାର ରେ

।।

 

 

 

 

ନାହିଁଟି ବିଶେଷ ଉଲ୍ଲେଖ

ଦାସେ ଏ କଥା ମନେ ରଖ

।।

 

 

ଗାଉଁଲୀ ଲଙ୍ଗଳରେ ଚାଷ

ଉତ୍ତମ ଅଟଇ ବିଶେଷ

।।

 

 

କଳ ଲଙ୍ଗଳ ଚାଷ ପାଇଁ

ସମୟ ଏବେ ଆସି ନାହିଁ

।।

 

 

ସମବାୟ ର ସୂତ୍ର ଧରି

ତିଆରି ହୋଇବ କିଆରୀ

।।

 

 

ଆକାରେ ବୃହତ ହୋଇବ

ଏ କଥା ଯେବେ ସମ୍ଭବିବ

।।

 

 

କଳ ଲଙ୍ଗଳେ ସେତେବେଳେ

ଫଳଦା ହେବ ଚାଷ କଲେ

।।

 

 

ଏବେ ହୋ, ସେ କଥା ପାଶୋରି

ଦେଶୀ ଲଙ୍ଗଳେ ଆଶ୍ରେ କରି

।।

 

 

ସାତ ପୁରୁଷୀ ଚାଷ ପନ୍ଥା

ଉତ୍ତମ ଅଟଇ ସର୍ବଥା

।।

 

 

ଗ୍ରାମ ଗୋଷ୍ଠୀର ଯେ ଯୋଜନା

ସେହିଟି ଶୁଭର ସୂଚନା

।।

 

 

ବିନା ଆୟସେ ଚାଷୀ ଭାଇ

ପାରିବ ସାହାଯ୍ୟ ଟି ପାଇ

।।

 

 

ଯୋଜନା କରିଛି ବ୍ୟବସ୍ଥା

‘‘ଜାତୀୟ ସଂପ୍ରସାରଣ’’ ତା

।।

 

 

କର୍ମ୍ମୀଏ ରହି ଏ ବିଭାଗେ

ଶିଖାଇ ଦେବେ ଅନୁରାଗେ

।।

 

 

ଚାଷର ଉନ୍ନତ ପ୍ରଣାଳୀ

ଦାସେ ନ ହୁଅ ମନେ ଭାଳି

।।

 

 

ସମବାୟର ସୂତ୍ର ଧରି

ଚାଷ ଚଳିବ ଯେଉଁ ପରି

।।

 

 

ସାହାଯ୍ୟ, ଶିକ୍ଷା ଦେବେ ଜନେ

ସଂପ୍ରସାରଣ କର୍ମ୍ମୀମାନେ

।।

 

 

ଆଗତ ଦଶ ବରଷରେ

ଆଶା ହେଉଛି ବିଶେଷରେ

।।

 

 

ଜାତୀୟ ସଂପ୍ରସାରଣର

ଯୋଜନା ହୋଇବ ସଫଳ

।।

 

 

ଏହି ବିଭାଗ କର୍ମୀ ସର୍ବେ

ଚାଷୀଙ୍କ ସେବାରେ ଆସିବେ

।।

 

 

ଆହୁରି କଥା ଏକ ଶୁଣ

ଏମନ୍ତ ହୋଇଛି ବିଧାନ

।।

 

 

ମିଳିତ ଚାଷ ପ୍ରଚଳନ

ପାଇଁ କି ମିଳିବଟି ଋଣ

।।

 

 

ରିଜର୍ଭ ବ୍ୟାଙ୍କ ଋଣ ଦେବେ

ଚାଷୀଏ ଲାଭ ଉଠାଇବେ

।।

 

 

ଉନବିଂଶତି ଛୟାଳିଶ

ସତ ଚାଳିଶ ସାଲ ଶେଷ

।।

 

 

ହିସାବ କହୁଅଛି ଶୁଣ

ଦେଢ଼ଟି ଲକ୍ଷ ମୁଦ୍ରା ଋଣ

।।

 

 

ରିଜର୍ଭ ବ୍ୟାଙ୍କ ଦେଇ ଅଛି

ଏ ଋଣ ଏବେ ତ ପଡ଼ିଛି

।।

 

 

ଉଣିସି ଶହ ଏକାବନ

ବାଉନ ସାଲର ପ୍ରମାଣ

।।

 

 

ସାର୍ଦ୍ଧ ଦ୍ୱାଦଶ କୋଟି ଟଙ୍କା

ରିଜର୍ଭ ବ୍ୟାଙ୍କ ଋଣ ଲେଖା

।।

 

 

ଏ ଋଣ ପୁଣିହିଁ ବଢ଼ିବ

ଏକଶ କୋଟି ଟଙ୍କା ହେବ

।।

 

 

ପାଞ୍ଚ ବରଷ ଯୋଜନାର

ବିଧାନେ ହୋଇଅଛି ସାର

।।

 

 

ଦାସୋବାଚ

 

 

 

ଶୁଣ ହୋ ଅଧିକାରୀ ଭାଇ

କହିବ ଆମ୍ଭକୁ ବୁଝାଇ

।।

 

 

କାହୁଁ ମିଳିବ ଏହି ଋଣ

କହ ହେ ତହିଁର ପ୍ରମାଣ

।।

 

 

ଅଧିକାରୀ ଉବାଚ

 

 

 

ପଚାରିଲ ହେ ଦାସେ ଯାହା

ମୁଁ ଏବେ କହୁଅଛି ତାହା

।।

 

 

ଅଞ୍ଚଳ ସରକାରଙ୍କର

ଆହୁରି ରିଜର୍ଭ ବ୍ୟାଙ୍କର

।।

 

 

ସମବାୟର ବିଭାଗରେ

ଋଣ ମିଳିବ ସହଜରେ

।।

 

 

ଚାଷୀକୁ ସକଳ ସାହାଯ୍ୟ

ମିଳିବ ଏହା ମନେ ହେଜ

।।

 

 

ଆହୁରି ଅଛି ଯେ ବିଧାନ

ଶୁଣି ଆନନ୍ଦ ହେବ ମନ

।।

 

 

ପୁଣି ଯୋଜନା କମିଶନ

ପ୍ରସ୍ତାବ ଦେଇଛନ୍ତି ଜାଣ

।।

 

 

ସମିତି ମାନ ଗଢ଼ା ହେବ

ସମବାୟ ତା ମୂଳେ ଥିବ

।।

 

 

ଉଚିତ ଦରେ ଚାଷ ଦ୍ରବ୍ୟ

କିପରି କିଣା ବିକା ହେବ

।।

 

 

ଚଳିବା ପାଇଁ ବ୍ୟବସାୟ

ସମିତି କରିବଟି ଥୟ

।।

 

 

ନାନା ବିଭାଗେ ବାଣ୍ଟ କରି

ବିକ୍ରୟ ହେବ ଯେଉଁ ପରି

।।

 

 

ତହିଁର ସୁବ୍ୟବସ୍ଥା ମାନ

ସମିତି କରିବ ବିଧାନ

।।

 

 

ଏ ସହଯୋଗ ପନ୍ଥା ନୀତି

ପ୍ରୟୋଜନୀୟ ଅଟେ ଅତି

।।

 

 

ସମାଜ, ଅର୍ଥ ନୀତି ବେନି

ଉନ୍ନତ ହେବ ଏହା ଘେନି

।।

 

 

ଦାସୋବାଚ

 

 

 

ଦାସେ କହିଲେ ରହ ରହ

ଆଉ ଗୋଟିଏ କଥା କହ

।।

 

 

ଏ ସମିତିର କାର୍ଯ୍ୟ କିସ

ବୁଝାଇ କହ ହେ ବିଶେଷ

।।

 

 

ଯାହା କହିଲ ଅଧିକାରୀ

ବୁଝିଲୁ ଏବେ ଭଲ କରି

।।

 

 

ତୁମ କହିବା ମର୍ମ୍ମ ଯାହା

ଶୁଣ ମୁଁ କହୁଅଛି ତାହା

।।

 

 

 

 

ଚାଷୀକୁ ଟଙ୍କା ଋଣ ଦେବେ

ଦ୍ରବ୍ୟ ବଜାରେ ବିକାଇବେ

।।

 

 

ଏତିକି ଭିନ୍ନ ଆଉ କିଛି

ସମିତି କର୍ତ୍ତବ୍ୟ କି ଅଛି

?

 

 

ଚାଷକୁ ଉତ୍ତମ ବିହନ

ଲୋଡ଼ା ହେବ ତ ଏହା ଜାଣ

।।

 

 

ତହିଁ ସଙ୍ଗକୁ ଉପଚାର

ଚାଷୀ ଲୋଡ଼ିବ ଭଲ ସାର

।।

 

 

ଏଥି ପାଇଁକି ଭଲା କିଛି

ସମିତି ବିଧାନ କରିଛି

?

 

 

ଅଧିକାରୀ ଉବାଚ

 

 

 

ଏ କଥା ଶୁଣି ଅଧିକାରୀ

କହିଲେ ହସି ହସି କରି

।।

 

 

 

 

ଦାସେ ହେ ପଚାରିଲ ଯାହା

ସମିତି ମୂଳ ମନ୍ତ୍ର ତାହା

।।

 

 

ଏ ସବୁ ସମିତି ବହିବ

ସକଳ ଉନ୍ନତି ଦେଖିବ

।।

 

 

ସହଯୋଗର ନୀତି ଧରି

ସମିତି ଏହା ଯିବ କରି

।।

 

 

ଯୋଜନା ଲକ୍ଷ୍ୟ କହେଁ ଶୁଣ

ଗ୍ରାମର ସୁପରିଚାଳନ

।।

 

 

ସମବାୟର ସୂତ୍ର ବଳେ

ସଭା ଚାଳିବେ ଅବହେଳେ

।।

 

 

କୃଷିର ଦିଗ ବଦଳାଇ

ଲାଗିବେ ଶିକ୍ଷା ଦେବା ପାଇଁ

।।

 

 

କୃଷିର ଗବେଷଣା ଥିବ

ପଚାଶ ଲକ୍ଷ ବ୍ୟୟ ହେବ

।।

 

 

ଏ ଅର୍ଥ ଯୋଜନା ବିଧାନ

ଶୁଣି ଆନନ୍ଦ ହେବ ମନ

।।

 

 

ଆହୁରି କେନ୍ଦ୍ର-ଗ୍ରାମମାନ

ବସିବ ବ୍ୟବସ୍ଥା ପ୍ରମାଣ

।।

 

 

ଦାସୋବାଚ

 

 

 

କଥାଏ ନୂଆ ଶୁଣିଲଇଁ

କେନ୍ଦ୍ର ଗ୍ରାମ ତ ଜଣାନାହିଁ

।।

 

 

ଏ କେଉଁ ଜାତି କଳପଣା

କହ ହେ ଅଧିକାରୀ ନନା

।।

 

 

କିପରି ହେବ କେନ୍ଦ୍ରମାନ

କାହିଁ ପାଇଁ କି ଏ ଭିଆଣ

।।

 

 

ଏଥିରେ କେଉଁ ଲାଭ ଅଛି

ବୁଝି ମୁଁ ନ ପାରିଲି କିଛି

।।

 

 

 

 

ଅଧିକାରୀ ଉବାଚ

 

 

 

କହନ୍ତି ହସି ଅଧିକାରୀ

ଶୁଣ ହେ କର୍ଣ୍ଣ ମନ ଡ଼େରି

।।

 

 

ଗୋମାତା ଦେଶର ଜୀବନ

ଏହା ତ ଶାସ୍ତ୍ରର ବଚନ

।।

 

 

ଶ୍ରେଷ୍ଠ ତ ଅଟଇ ଗୋଧନ

ଭାରତ ମୂଳ ନୀତି ଜାଣ

।।

 

 

ସେହି ନୀତିକୁ ମୂଳ କରି

ଯୋଜନା ଅଛିଟି ବିଚାରି

।।

 

 

ଚାରି ପାଞ୍ଚୋଟି ଗ୍ରାମ ହେବ

ସେ ପୁଣି ଲାଗି ଲାଗି ଥିବ

।।

 

 

ଏଭଳି ଗ୍ରାମ ବଛା ହେବ

କେନ୍ଦ୍ର ଗ୍ରାମେକ ଗଢ଼ା ଯିବ

।।

 

 

 

 

ପାଞ୍ଚଶ ଛଡ଼ା ଥିବେ ତହିଁ

ଜନ୍ମିବେ ଭଲ ଗୋରୁଗାଈ

।।

 

 

ଉତ୍ତମ ଷଣ୍ଢ ବଛା ହେବେ

ସେମାନେ ଗୋଷ୍ଠରେ ରହିବେ।।

 

 

 

ବଢ଼ିବ ଗୋଧନ ଦେଶରେ

ଉନ୍ନତି ହେବ ଅକ୍ଳେଶରେ

।।

 

 

ଛଅଶ କେନ୍ଦ୍ର ଏହିପରି

ଯୋଜନା ଅଛି ସ୍ଥିର କରି

।।

 

 

କେନ୍ଦ୍ର ଆହୁରି ଦେଢ଼ ଶତ

ଖୋଲିବ ଯୋଜନାର ମତ

।।

 

 

ଦିଆଇ ପୁଣି ଇଞ୍ଜେକ୍‌ସନ

ବାଛୁରୀ ହେବେ ପ୍ରଜନନ

।।

 

 

ଉତ୍ତମ ଷଣ୍ଢ ଜାତ ପାଇଁ

କଳ୍ପନା ପୁଣି ଅଛି ହୋଇ

।।

 

 

ଦୁଇଶ ପଚିଶଟି କେନ୍ଦ୍ର

ବସିବ ଏଥେଁ ନାହିଁ ଦ୍ୱନ୍ଦ

।।

 

 

ଔଷଧ, ଉତ୍ତମ ଭୋଜନ

ଗୋରୁଙ୍କ ଲାଗି ପ୍ରୟୋଜନ

।।

 

 

ଯୋଜନା ଅଛି ତହିଁ ପାଇଁ

ମନରେ ଭାବନା କି ପାଇଁ

?

 

 

ଦାସେ ହୋ, ସହଯୋଗ ବଳେ

ଅସାଧ୍ୟ ସାଧ୍ୟ ହେବ ହେଳେ

।।

 

 

ଭୂମି ସମସ୍ୟା ଅଛି ହୋଇ

କହିବି ସକଳ ବୁଝାଇ

।।

 

 

ରାତ୍ର ଅଧିକ ହୋଇଲାଣି

ଆଜି ମୁଁ ନେଉଛି ମେଲାଣି

।।

 

 

ମାର୍ଗଶୀରର ଗୁରୁବାର

ଲକ୍ଷ୍ମୀ ପୁଜାଟି ଆଜି ସାର

।।

 

 

ଆନନ୍ଦ ମନେ ସର୍ବେ ଯାଅ

ମହାଲକ୍ଷ୍ମୀଙ୍କ ଭୋଗ ପାଅ

।।

 

 

ସକଳେ ହୋଇ ଏକମନ

କର ହେ ମଙ୍ଗଳ ବିଧାନ

।।

 

 

ହସିବ ଏ ଭାରତ ଭୂଇଁ

ଏଥେଁ ସନ୍ଦେହ ଲେଶ ନାହିଁ

।।

 

 

କର୍ମର ମୂଳେ ଏ ଜଗତ

କର୍ମଟି ଏକା ଚିର ସତ୍ୟ

।।

 

 

ଆମ୍ଭେ ତ ସ୍ୱାଧୀନ ସନ୍ତାନ

ରଖିବା ଦେଶ ଜାତିମାନ

।।

 

 

ସରବେ ହୋଇ ଏକ ମେଳ

ଆନନ୍ଦେ ହରି ହରି ବୋଲ

।।

 

ଇତି ଶ୍ରୀ ଯୋଜନା ଭାଗବତେ ଦାସାଧିକାରୀ ସମ୍ବାଦେ

ଖାଦ୍ୟ କୃଷି ବିଚାର ବର୍ଣ୍ଣନେ

ନାମ ତୃତୀୟ ଅଧ୍ୟାୟ ।

 

ଚତୁର୍ଥ ଅଧ୍ୟାୟ

 

ଗ୍ରାମର ଭାଗବତ ଘରେ

ସକଳେ ମିଳି ସନ୍ଧ୍ୟା କାଳେ

।।

 

 

ପୁରାଣ ପାଠ ଶେଷ ହେଲା

ଗ୍ରାମର ବିଚାର ପଡ଼ିଲା

।।

 

 

ଭଜନ ଦାସେ ସେ ଦିନରେ

ଯାଇ ଅଛନ୍ତି କାର୍ଯ୍ୟାନ୍ତରେ

।।

 

 

ଅଧିକାରୀଙ୍କ ପଥ ଚାହିଁ

ଗ୍ରାମବାସୀଏ ଛନ୍ତି ରହି

।।

 

 

ସାଧୁ ପଧାନ ବିଚାରିଛି

ଆଜି ସେ ପଚାରିବ କିଛି

।।

 

 

ଜମିଦାରି ତ ଉଠିଗଲା

ରଇତ ପ୍ରଥା ଚାଲୁ ହେଲା

।।

 

 

 

 

ମଧ୍ୟ-ସ୍ୱତ୍ୱର ଅଧିକାର

ଲୋପ ତ ହୋଇବ ଏଥର

।।

 

 

ଭୂମି କର୍ଷଣ ଯେ କରିବେ

ଭୂମିର ମାଲିକ ସେ ହେବେ

।।

 

 

ଏ ଘେନି ଯୋଜନାରେ ସଂସ୍ଥା

ହୋଇଛି କେଉଁ କେଉଁ କଥା

।।

 

 

ଆଜି ସେ କଥାଟି ବୁଝିବା

ମନରୁ ସନ୍ଦେହ ନାଶିବା

।।

 

 

ଅଧିକାରୀଏ ପ୍ରବେଶିଲେ

ସର୍ବେ ତାହାଙ୍କୁ ସମ୍ଭାଷିଲେ

।।

 

 

ପଧାନ ଦଣ୍ଡବତ ହୋଇ

ମନର କଥା ପଚାରଇ

।।

 

 

 

 

 

 

 

 

ପଧାନୋବାଚ

 

 

 

କହନ୍ତୁ ଆହେ ଅଧିକାରୀ

ଉଠିତ ଗଲା ଜମିଦାରୀ

।।

 

 

ଏଣିକି କି ହେବ ବିଚାର

ଶୁଣିବା ପାଇଁ ମନ ମୋର

।।

 

 

ମଧ୍ୟ-ସ୍ୱତ୍ୱର ଅଧିକାର

ଲୋପ ତ ହୋଇବ ଏଥର

।।

 

 

ପାଞ୍ଚ ବରଷ ଯୋଜନାରେ

ବିଧାନ ହୁଏ କି ପ୍ରକାରେ

।।

 

 

ଏଥକୁ ପଚାରଇଁ କିଛି

ଜାଣିବା ପାଇଁ ମନ ଅଛି

।।

 

 

ଅଧିକାରୀ ଉବାଚ

 

 

 

କହିଲେ ତହୁଁ ଅଧିକାରୀ

ଶୁଣ ହୋ ଯା ଅଛ ପଚାରି

।।

 

 

ମଧ୍ୟ-ସ୍ୱତ୍ୱର ଅଧିକାର

ଲୋପ ତ ହୋଇବ ମୁକର

।।

 

 

ସମବାୟର ସୂତ୍ରେ ଜାଣ

ହୋଇବ ନୂତନ ଭିଆଣ

।।

 

 

ନବୀନ ସାମାଜିକ ସଂସ୍ଥା

ହୋଇଛି ଏଥିରେ ବ୍ୟବସ୍ଥା

।।

 

 

‘କୋଠଚାଷ’ ସେ ବୋଲାଇବ

ଚାଷେ ସମସ୍ତେ ଯୋଗ ଦେବ

।।

 

 

ଗ୍ରାମର ଯେତେ ଭୂମିଥିବ

ସକଳେ କୋଠରେ ଚଷିବ

।।

 

 

ଭୂମିର ହୋଇବ ଉନ୍ନତି

ବଢ଼ିବ ଉତ୍ପାଦିକା ଶକ୍ତି

।।

 

 

ଗ୍ରାମ ମଧ୍ୟରେ ସହଯୋଗ

ବଢ଼ିବା ବିଚାରଟି ଆଗ

।।

 

 

କଥାଏ କହୁଛି ଆହୁରି

ଯୋଜନା ହୋଇଛି ଯେପରି

।।

 

 

ନିଜର ଇଚ୍ଛା ଅନୁସାରେ

ଯେ ଯେତେ ଭୂମି ରଖୁଥିଲେ

।।

 

 

ସେ ପ୍ରଥା ଅଚଳ ହୋଇବ

ତହିଁ କି ବାଧା ପ୍ରବର୍ତ୍ତିବ

।।

 

 

ଯୋଜନା କମିଶନ ମତ

ସାଧିତ ହେବ ଜନହିତ

।।

 

 

ଗୋଟିଏ ହଳ ସାହାଯ୍ୟରେ

ଯେ ଭୂମି ଚାଷ ହୋଇପାରେ

।।

 

 

ତହିଁର ତିନିଗୁଣା ଭୂମି

ରଖିବେ ମାତ୍ର ଗୃହ ସ୍ୱାମୀ

।।

 

 

ପ୍ରତ୍ୟେକ ପରିବାର ପାଇଁ

ଏହି ନିୟମ ପ୍ରବର୍ତ୍ତାଇ

।।

 

 

ଯୋଜନା ପୁଣି କହିଛନ୍ତି

ଭୂମିର ଚାଷୀ ଯେ ଅଟନ୍ତି

।।

 

 

ପାଞ୍ଚବରଷ କାଳ ଯାଏ

ରହିଥିବେ ସେ ସେହି ପ୍ରାୟ

।।

 

 

ଦଖଲ ଉଚ୍ଛେଦ ନୋହିବ

ଚାଷୀ ଏ ସୁଯୋଗ ଲଭିବ

।।

 

 

ଭୂମିରୁ ଉତ୍ପନ୍ନ ଯେ କ୍ଷେତ

ତହୁଁ ଚଉଠ ଅଂଶ ମାତ୍ର

।।

 

 

ରାଜସ୍ୱ ରୂପେ ଚାଷୀ ଦେବ

ଏଥିରୁ ଅଧିକ ନୋହିବ

।।

 

 

ପଧାନୋବାଚ

 

 

 

ପଧାନ କହଇ ବୁଝିଲି

ଏ କଥା ଜାଣି ମୁଁ ନ ଥିଲି

।।

 

 

 

 

ମୁଁ ଅଟେ ଜଣେ ଭାଗଚାଷୀ

କୁଟୁମ୍ବ ପୋଷେଁ ଭାଗ ଚଷି

।।

 

 

ଜମିଦାରଙ୍କ ନିଜ ଚାଷ

ଭୂମିରୁ ଚଷେଁ କିଛି ଅଂଶ

।।

 

 

ପୁଅ ମୋ ବ୍ୟବସାୟ କରି

ଆସିଛି କିଛି ଟଙ୍କା ଧରି

।।

 

 

କହଇ ଭୂମି କିଣ ବାପା

ଭାଗ ଚାଷରେ ନାହିଁ ନଫା

।।

 

 

ଯେ ଭୂମି ମୁହିଁ ଚଷୁ ଅଛି

ସେ ଖଣ୍ଡି କିଣିବିଭାବୁଛି

।।

 

 

ବିଚାର ମାଗୁ ଅଛି ମୁହିଁ

ଜାଣି ଥିଲେ ତା ଦିଅ କହି

।।

 

 

 

 

 

 

 

 

ଅଧିକାରୀଉବାଚ

 

 

 

ଏ କଥା ଶୁଣି ଅଧିକାରୀ

କହନ୍ତି ଦେଖିବା ବିଚାରି

।।

 

 

ହାତ ଚାଷକୁ ଛାଡ଼ ଯାହା

ତହୁଁ ବଳକା ହେଲେ ତାହା

।।

 

 

ସେ ଭୂମି-ଅଧିକାରୀଙ୍କର

ନାହିଁ ତହିଁରେ ଅଧିକାର

।।

 

 

ଜମିଦାରଙ୍କଠାରୁ ତୁମ୍ଭେ

କିଣି ପାରିବ ତାକୁ ଏବେ

।।

 

 

ପଧାନୋବାଚ

 

 

 

ଏ କଥା ଶ୍ରବଣେ ପଧାନ

କହେ ଆନନ୍ଦ ହେଲା ମନ

।।

 

 

ମୁଁ ସିନା କିଣିବି ବୋଲୁଛି

ଆହୁରି ପ୍ରମାଦ ତ ଅଛି

।।

 

 

ଜମିଦାରଙ୍କ ପାଶେ ଯେବେ

‘ଜମି କିଣିବି’ କହେ ତେବେ

।।

 

 

କେଜାଣି କେତେ ମୂଲ ତାର

କହିଲେ ବଳ କାହିଁ ମୋର

?

 

 

ତହିଁକି ସହଜ ଉପାୟ

ଥିଲେ ହେ ଅଧିକାରୀ କହ

।।

 

 

ଅଧିକାରୀଉବାଚ

 

 

 

କହିଲେ ଅଧିକାରୀ ହସି

ପଧାନ ଭାବ ନାହିଁ କିଛି

।।

 

 

କରର କେତେ ଗୁଣ ଦର

ସ୍ଥିର କରିବେ ସରକାର

।।

 

 

ପ୍ରଥମେ ବୁଝି ସ୍ଥିର କର

ସେ ଭୂମି ଜମିଦାରଙ୍କର

।।

 

 

ନିଜ ଚାଷର ମାତ୍ରା ଯାହା

ଅଧିକ ଅବା ଉଣା ତାହା

।।

 

 

ଯେବେ ଅଧିକେ ତାହା ଥିବ

 

ତୁମ୍ଭେ ତା ସହଜେ କିଣିବ

।।

 

 

ଦରକୁ ନ କର ଭାବନା

ତହିଁକି ରହିଛି ଯୋଜନା

।।

 

 

ଯେବେ ହେ ଧନଟି ନ ଥିବ

କିସ୍ତିରେ ପଇଠ କରିବ

।।

 

 

ଏ ଅଟେ ଯୋଜନାର ମତ

ନୋହିବ ଏଥୁଁ ବିପରୀତ

।।

 

 

ଚାଷୀଏ ଆନନ୍ଦ ହୋଇଲେ

ସକଳେ ହରି ବୋଲ ଦେଲେ

।।

 

ଇତି ଶ୍ରୀ ଯୋଜନା ଭାଗବତେ ଭୂମି ସମସ୍ୟା କଥନେ

ନାମ ଚତୁର୍ଥ ଅଧ୍ୟାୟ ।

***

 

ପଞ୍ଚମ ଅଧ୍ୟାୟ

 

ଫେରିଲେ ଦାସେ ସନ୍ଧ୍ୟାକାଳେ

ଳିଲେ ଭାଗବତ ଘରେ

।।

 

 

ସକଳେ ହୋଇ ହସ ହସ

ବୋଇଲେ ଦାସେ ଆସ ଆସ

।।

 

 

କେଉଁ ଆଡ଼କୁ ଯାଇଥିଲ

କାହିଁକି କାଲି ତ ନ ଥିଲ

।।

 

 

ଅଧିକାରୀଏ ଆସିଥିଲେ

ଭୂମି ସମସ୍ୟା ସେ କହିଲେ

।।

 

 

ଦାସେ କହିଲେ ଶୁଣ ଭାଇ

ମିଶ୍ରଙ୍କୁ ଡାକି ଆଣ ଯାଇ

।।

 

 

ଆଜି ମାଧବ ଅଧିକାରୀ

ଯାଇ ଅଛନ୍ତି ସଭା କରି

।।

 

 

 

 

ଗ୍ରାମଗୋଷ୍ଠୀର ଯୋଜନାର

ହୋଇଛି ବିଶେଷ ବିଚାର

।।

 

 

ମିଶ୍ରେ ସେ କଥା ବାରି ଥିବେ

ଆସିଲେ ବୁଝାଇ କହିବେ

।।

 

 

ଏକାଳେ ମିଶ୍ରେ ପ୍ରବେଶିଲେ

ସକଳେ ଆନନ୍ଦିତ ହେଲେ

।।

 

 

ମଧ୍ୟରେ ଦେଲେ ସ୍ଥାନ ଛାଡ଼ି

ମିଶ୍ରେ ବସିଲେ ଚକାମାଡ଼ି

।।

 

 

କହିଲେ ହସ ହସ ହୋଇ

ସକଳ କୁଶଳ ତ ଭାଇ

?

 

 

କାହାନ୍ତି ଅଧିକାରୀ ନନା

ସଭା ଅଶୋଭା ତାଙ୍କ ବିନା

।।

 

 

ଦାସେ କହିଲେ ଅଧିକାରୀ

ଯାଇ ଅଛନ୍ତି ସଭା କରି

।।

 

 

ଡାକିଆସିଲି ତାଙ୍କ ଘରେ

ଶୁଣିଲି ଆସିବେ ଉଛୁରେ

।।

 

 

କ୍ଷେତ୍ର ପାଳଙ୍କ ବର ମୂଳେ

ସଭା ବସିଛି ସନ୍ଧ୍ୟା କାଳେ

।।

 

 

ସଡ଼କ ହୋଇବ ତିଆରି

ମିଶି ଅଛନ୍ତି ଗ୍ରାମ ଚାରି

।।

 

 

ସମାଜ ଆଉ ଅର୍ଥନୀତି

କି ରୂପେ ଲଭିବ ଉନ୍ନତି

।।

 

 

ସଭା ବସିଛି ସେଥିପାଇଁ

ଅଧୁକାରୀଏ ଛନ୍ତି ଯାଇଁ

।।

 

 

ଗ୍ରାମଗୋଷ୍ଠୀର ଏ ଯୋଜନା

ଏହା ତୁମ୍ଭଙ୍କୁ ଥିଲେ ଜଣା

।।

 

 

କହ ହେ ସକଳ ବୁଝାଇ

ଗ୍ରାମବାସୀଏ ଅଛୁଁ ଚାହିଁ

।।

 

 

ମିଶ୍ରୋବାଚ

 

 

 

ମିଶ୍ରେ କହନ୍ତି ଶୁଣ ଭାଇ

କହୁଛ ସକଳ ବୁଝାଇ

।।

 

 

ଯୋଜନା ବଳେ ହେବ ଯାହା

ତୁମ୍ଭେ ହେ ମନେ ରଖ ତାହା

।।

 

 

ଉନ୍ନତ କୃଷିର ବିଧାନ

ଲକ୍ଷ୍ୟ ଏଥିରେ ପ୍ରଧାନ

।।

 

 

ଆବର ବିବିଧ ଉନ୍ନତି

ଅଟଇ ଯୋଜନାର ନୀତି

।।

 

 

ଗ୍ରାମର ମଙ୍ଗଳ ଭିଆଣ

କୁଟୀର ଶିଳ୍ପ ଉନ୍ନୟନ

।।

 

 

ପଡ଼ିବ ବନ୍ଧ ବାଡ଼ ମାନ

ସଡ଼କ ହୋଇବ ନିର୍ମାଣ

।।

 

 

 

 

ଏହି ଯୋଜନା ଚଳାଇବ

ସର୍ବଥା ଉନ୍ନତି ହୋଇବ

।।

 

 

ଏଥକୁ ଗ୍ରାମବାସୀ ଯେତେ

ମେଳରେ କରିବେ ସମସ୍ତେ

।।

 

 

ବିଶେଷ କଥା ଅଛି ଯାହା

ଏବେ ହୋ ଶୁଣ କହେ ତାହା

।।

 

 

ସରକାରଙ୍କ କର୍ମଚାରୀ

କରନ୍ତୁ ଏ କଥା ବିଚାରି

।।

 

 

ବସିଲେ କାର୍ଯ୍ୟ ନ ହୋଇବ

ସକଳ ଯୋଗ ପଣ୍ଡ ହେବ

।।

 

 

ଏଣୁ ହେ ହୁଅ ତତପର

ଆପଣା କାର୍ଯ୍ୟ ଆପେ କର

।।

 

 

କେବଳ ଏତିକି ମାତର

ସାହାଯ୍ୟ ଦେବେ ସରକାର

।।

 

 

ଗ୍ରାମ ସେବକ ଜଣେ ଜଣେ

ରହିବେ ଏବେ ସ୍ଥାନେ ସ୍ଥାନେ

।।

 

 

ଆସନ୍ତା ଦଶ ବରଷରେ

ଆମ୍ଭ ଭାରତ-ବରଷରେ

।।

 

 

ସେବକେ ସକଳ ଗ୍ରାମରେ

ରହିବେ ଯୋଜନା କ୍ରମରେ

।।

 

 

ଏମାନେ ଉପଦେଶ ଦେବେ

ଉନ୍ନତ କୃଷି କରାଇବେ

।।

 

 

ଏହି ଯୋଜନା ଅନୁକ୍ରମେ

ହେଲାଣି କାର୍ଯ୍ୟ କ୍ରମେ କ୍ରମେ

।।

 

 

ଏବେଟି ପଞ୍ଚାବନ ସ୍ଥାନେ

ସେବକ ଛନ୍ତି ଜଣେ ଜଣେ

।।

 

 

ଆହୁରି ପଞ୍ଚାବନ ଗୋଟି

ଯୋଜନା ସିଦ୍ଧ ହୋଇବ ଟି

।।

 

 

ଆସନ୍ତା ବରଷକେ ଜାଣ

ଏବିଧି ହେବ ସମାଧାନ

।।

 

 

ପ୍ରତ୍ୟେକ ଗୋଷ୍ଠୀ ତିନିଗୋଟି

ଅଞ୍ଚଳେ ହୋଇବ ବିଭକ୍ତ

।।

 

 

ପ୍ରତି ଅଞ୍ଚଳେ ଶତ ଗ୍ରାମ

ଅଟଇ ଯୋଜନାର କ୍ରମ

।।

 

 

ଷାଠିଏ ସତୁରୀ ହଜାର

ବସତି ଥିବଟି ଲୋକର

।।

 

 

ଏହି ଅଞ୍ଚଳମାନ ପୁଣି

ପ୍ରାୟ ପାଞ୍ଚଟି ଗ୍ରାମ ଘେନି

।।

 

 

କ୍ଷୁଦ୍ର ଅଞ୍ଚଳେ ଭାଗ ହେବ

ଏ କଥା ଅନ୍ୟଥା ନୋହିବ

।।

 

 

ଗ୍ରାମସେବକ ଏହି ସ୍ଥାନେ

ନିଯୁକ୍ତ ହୋଇ ଜଣେ ଜଣେ

।।

 

 

ବିବିଧ ଉନ୍ନତି ବିଧାନ

ସାଧନ ତାଙ୍କ କାର୍ଯ୍ୟକ୍ରମ

।।

 

 

ଦାସୋବାଚ

 

 

 

ଦାସେ କହିଲେ ମିଶ୍ରେ ଶୁଣ

କହିଲ ଯାହା କାର୍ଯ୍ୟକ୍ରମ

।।

 

 

ବିସ୍ତାରି ବର୍ଣ୍ଣନା କରିବ

ଶୁଣି ସନ୍ଦେହ ମନୁ ଯିବ

।।

 

 

ମିଶ୍ରେ କହିଲେ ଶୁଣ ତେବେ

ତାହା ମୁଁ କହୁଅଛି ଏବେ

।।

 

 

ପଡ଼ିଆ ଭୂମିକୁ ଉଠିଆ

ଉତ୍ତମ ଖତ ସାର ଦିଆ

।।

 

 

ଭଲ ବିହନ ଯୋଗାଇବା

ଗାଈଗୋରୁଙ୍କ ଯତ୍ନ ନେବା

।।

 

 

 

 

ଗ୍ରାମରେ ସଡ଼କ ପକାଇ

ଯୋଗ କରିବେ ତାକୁ ନେଇ

।।

 

 

ପ୍ରଧାନ ରାଜ ପଥ ତୁଲେ

ଏ ସବୁ ଯୋଜନାର ମୂଳେ

।।

 

 

ଗ୍ରାମର ସ୍ୱାସ୍ଥ୍ୟ ସଂବିଧାନ

ଉତ୍ତମ ପାନୀୟ ଯୋଗାଣ

।।

 

 

ମଶା ମାଛିଙ୍କ ନିବାରଣ

ହେବ ଏ ଯୋଜନାର କର୍ମ

।।

 

 

ବଢ଼ାଇ, କମାର, କୁମ୍ଭାର

ଗ୍ରାମର ଯେତେ କାରିଗର

।।

 

 

ଉତ୍ତମ ତାଲିମ ପାଇବେ

ସହଜେ ଶିଳ୍ପ ବଢ଼ାଇବେ

।।

 

 

ସକଳେ ହୋଇବେ ଶିକ୍ଷିତ

ବିବିଧ କର୍ମରେ ଦୀକ୍ଷିତ

।।

 

 

ଏ ଆଦି ଯେତେ କର୍ମମାନ

ସକଳ ଯୋଜନା ବିଧାନ

।।

 

 

ଏ ଗ୍ରାମଗୋଷ୍ଠୀ ଯୋଜନାର

ସହାୟ ଏବେ ସରକାର

।।

 

 

ଦେଉଅଛନ୍ତି କିଛି ଧନ

ଏ ଅନ୍ତେ କରିଛନ୍ତି ମନ

।।

 

 

ଭାରତେ ବିଭିନ୍ନ ସ୍ଥାନରେ

ଭବିଷ୍ୟେ ବିରାଟ ଆକାରେ

।।

 

 

ଉନ୍ନତ ଯୋଜନାର ସଂସ୍ଥା

ଚଳିବ ରହିଛି ବ୍ୟବସ୍ଥା

।।

 

 

ଆଜହୁଁ ହୁଅ ସାବଧାନ

ଆପଣା କର୍ମେ ଦିଅ ମନ

।।

 

 

ଶୁଣି ସକଳ ଗ୍ରାମବାସୀ

ମନେ ହୋଇଲେ ଅତି ଖୁସି

।।

 

 

ରାତ୍ର ଅଧିକ ହୋଇଥିଲା

ସେ ଦିନ ସଭା ମଉଳିଲା

।।

 

 

ଯୋଜନା ସଫଳତା ଭାଳି

ସକଳେ ଦେଲେ କରତାଳି

।।

 

ଇତିଶ୍ରୀ ଯୋଜନା ଭାଗବତେ ଗ୍ରାମଗୋଷ୍ଠୀ ଯୋଜନା ପ୍ରଣାଳୀ ବର୍ଣ୍ଣନେ

ନାମ ପଞ୍ଚମୋଧ୍ୟାୟ ।

***

 

ଷଷ୍ଠ ଅଧ୍ୟାୟ

 

ପର ଦିବସ ସନ୍ଧ୍ୟା କାଳେ

ଗ୍ରାମର ଭାଗବତ ଆଳେ

।।

 

 

ମିଳିଲେ ସର୍ବେ ଗ୍ରାମବାସୀ

ଅଧିକାରୀଏ ଛନ୍ତି ଆସି

।।

 

 

ସାଧୁ ପଧାନ ପଚାରଇ

ଯୋଜନା କଥା ଶୁଣିଲଇଁ

।।

 

 

ଜଳ ମଡ଼ାଣ ଲାଗି କିଛି

ଯୋଜନା ମଧ୍ୟରେ କି ଅଛି

?

 

 

କ୍ଷେତରେ ଜଳ ନ ମାଡ଼ିଲେ

କି ହେବ ଉନ୍ନତି ଭାଳିଲେ

?

 

 

କହନ୍ତୁ ଅଧିକାରୀ ଭାଇ

ବନ୍ଧ ପଡ଼ିବା ଶୁଣୁଥାଇଁ

।।

 

 

 

 

କିପରି, କେବେ ହେବ ତାହା

ବୁଝାଇ କହିବେ ସେ ଏହା

।।

 

 

ଅଧିକାରୀ ଉବାଚ

 

 

 

କହୁଛି ଶୁଣ ହୋ ପଧାନ

ଏ ଜଳସେଚନ ବିଧାନ

।।

 

 

ଉତ୍ତର ଦେଲେ ଅଧିକାରୀ

ଶୁଣ ସକଳେ କର୍ଣ୍ଣ ଡେରି

।।

 

 

ଉଣିଶିଶହ ପଞ୍ଚାଶତ

ସାଲରେ ସର୍ବେ ଦେଖିଛ ତ

।।

 

 

ଯେତେ ଭୂମୀର ପରିମାଣ

ଜଳଟି ମାଡ଼ୁଥିଲା ଜାଣ

।।

 

 

ଯୋଜନା ଫଳ ଶୁଣ ଭାଇ

କେତେ ଅଧିକ ତହୁଁ ହୋଇ

।।

 

 

 

 

କୋଟିଏ ଶତାନବେ ଲକ୍ଷ

ଗୁଣରେ ବଢ଼ିବ ପ୍ରତ୍ୟକ୍ଷ

।।

 

 

ଅଧିକ ହେବ ଉତପନ୍ନ

ଏକଥା ନିଶ୍ଚିତରେ ଘେନ

।।

 

 

ଆଜି ଯେ ନଦୀ ବନ୍ଧମାନ

ଯୋଜନା କରୁଛି ନିର୍ମାଣ

।।

 

 

ତା ଫଳେ ଯୋଜନାର ଶେଷେ

ଜଳ ତ ମାଡ଼ିବ ବିଶେଷେ

।।

 

 

ଏକର ପଞ୍ଚାଅଶୀ ଲକ୍ଷ

ଜଳ ଚରିବ ଅଛି ଲକ୍ଷ୍ୟ

।।

 

 

ବିଜୁଳି ଶକତି ଆବର

ତହିଁରୁ ହୋଇବ ପ୍ରସାର

।।

 

 

 

 

 

 

 

 

ପଧାନୋବାଚ

 

 

 

ସାଧୁ ପଧାନ ଏହା ଶୁଣି

ଅଧିକାରୀଙ୍କୁ ପୁଛେ ପୁଣି

।।

 

 

ଆମ୍ଭ ଦେଶ ତ ନୁହେଁ ସାନ

କେବଳ ନଦୀ ବନ୍ଧମାନ

।।

 

 

ଆମ୍ଭ ପ୍ରଦେଶେ ହେଲେ ସବୁ

କିଫଳ ଲାଭ ହେବ ବାବୁ

?

 

 

ଦେଶ ସୁଖରେ ଥିଲେ ସିନା

ନ ଥିବ କାହାରି ଭାବନା

।।

 

 

ସମସ୍ତେ ସୁଖରେ ରହିବା

ଦେଶ ମଙ୍ଗଳ ବିଚାରିବା

।।

 

 

ନଦୀ ତ ବହୁ ସ୍ଥାନେ ଅଛି

ବନ୍ଧ କେଉଁଠି ପଡ଼ୁଅଛି

।।

 

 

 

 

ଶୁଣିବା ପାଇଁ ମନ ମୋର

କଥାକୁ ମନରେ ନ ଧର

।।

 

 

ସଂସାର ସୁଖେ ଆମ୍ଭେସୁଖୀ

ସଂସାର ଦୁଃଖେ ହେବା ଦୁଃଖୀ

।।

 

 

ବନ୍ଧ କେବଳ ଏହିଠାରେ

ପଡ଼ିଲେ କି ଲାଭ ତହିଁରେ

?

 

 

ଅଧିକାରୀ ଉବାଚ

 

 

 

କହନ୍ତି ହସି ଅଧିକାରୀ

ସୁଖୀ ମୁଁ ପ୍ରଶ୍ନ ଶୁଣି କରି

।।

 

 

ଦେଶରେ ବଢ଼ିଲେ ସଂପଦ

ସକଳେ ହୋଇବା ଆନନ୍ଦ

।।

 

 

ନୋହିଲେ ଆମ୍ଭେ ସୁଖେ ଥାଇ

କି ଲାଭ ସତେ ହେବ ଭାଇ

?

 

 

 

 

ଆମ୍ଭେ ଖାଇବା, ସୁଖେ ଥିବା

ଭାଇର ମରଣ ଦେଖିବା

।।

 

 

ଏ ନୁହେଁ ଭାରତୀୟ ନୀତି

ଏ ଜାତି ନୁହେଁ ଆତ୍ମ ସାର୍ଥୀ

।।

 

 

ଯୋଜନା ବିଚାରିଛି ଯାହା

କହୁଛି ଏବେ ଶୁଣ ତାହା

।।

 

 

ବହୁତ ସ୍ଥଳେ ବନ୍ଧମାନ

ହେବଟି ଯୋଜନା ପ୍ରମାଣ

।।

 

 

ପଞ୍ଜାବ, ପେପ୍‌ସୁ, ରାଜସ୍ଥାନ

ବାଖରା ନାଙ୍ଗଲା ତା ନାମ

।।

 

 

ପଶ୍ଚିମ ବଙ୍ଗ ବିହାରରେ

ଦାମୋଦରର ନଦୀ ଜଳେ

।।

 

 

ଉତ୍କଳେ ହୀରାକୁଦ ବନ୍ଧ

ଯୋଜନା କରିଛି ପ୍ରବନ୍ଧ

।।

 

 

ହାଇଦ୍ରାବାଦ ମାନ୍ଦ୍ରାଜରେ

ତୁଙ୍ଗଭଦ୍ରାରେ ବନ୍ଧ ଦେଲେ

।।

 

 

ବଢ଼ିବ ସଂପଦ ଦେଶର

କଲ୍ପଣା ଅଟେ ଯୋଜନାର

।।

 

 

ନିମ୍ନ-ଭବାନୀ ବନ୍ଧ ଘେନି

ମାନ୍ଦ୍ରାଜ ହେବ ମହା ଧନୀ

।।

 

 

ପଶ୍ଚିମ ବଙ୍ଗେ ମୟୁରାକ୍ଷୀ

ଯୋଜନା ତଳେ ଅଛି ରଖି

।।

 

 

ବୋମ୍ବାଇ ଯୋଜନା ପ୍ରବନ୍ଧ

ନିମ୍ନ ତପ୍ତୀରେ ପଡ଼େ ବନ୍ଧ

।।

 

 

ଓଡ଼ିଶା ମାନ୍ଦ୍ରାଜ ମଧ୍ୟସ୍ଥ

ଡୁଡ଼ୁମା କଥା ଜାଣିଛ ତ

।।

 

 

ମାଛକୁଣ୍ଡର ନଦୀ ଜଳେ

ବିଜୁଳି ଯୋଜନା ତ ଚଳେ

।।

 

 

ଉତ୍ତର ପ୍ରଦେଶର ପାଇଁ

ସାରଦା ଯୋଜନା ଚଳଇ

।।

 

 

ପଞ୍ଚବାର୍ଷିକ ଯୋଜନାରେ

ଶେଷ ବରଷ ଦୁଇଟିରେ

।।

 

 

ଆହୁରି କଥାଏ କହୁଛି

ପାଞ୍ଚ ପ୍ରଧାନ ନଦୀ ବାଛି

।।

 

 

ବନ୍ଧ ପଡ଼ିବ ଠାବେ ଠାବେ

ନାମ ମୁଁ କହୁଥାଇଁ ଏବେ

।।

 

 

ମଧ୍ୟଭାରତ ରାଜସ୍ଥାନ

ଚାଁବଲ ଯୋଜନା ତା ନାମ

।।

 

 

ବମ୍ବେରେ କୈଏକା ଯୋଜନା

ପ୍ରସ୍ତାବ ହୋଇଛି ଠିକଣା

।।

 

 

ଆହୁରି ଉତ୍ତର ପ୍ରଦେଶେ

ରାଇହାଣ୍ଡର ଯୋଜନା ସେ

।।

 

 

ହାଇଦ୍ରାବାଦ ମାନ୍ଦ୍ରାଜରେ

କୃଷ୍ଣା ଯୋଜନା ବୋଲିତାରେ

।।

 

 

ପହିଲି ତିନି ଯୋଜନାର

ପ୍ରଥମ ଭାଗର ବିଚାର

।।

 

 

ଯୋଜନା କରୁଛି ଗ୍ରହଣ

ନିଶ୍ଚିତ କଥା ମନେ ଘେନ

।।

 

 

ପଧାନବାଚ

 

 

 

ପଧାନ ଶୁଣି ହସ ହସ

ପଚାରେ କର ହେ ପ୍ରକାଶ

।।

 

 

ଯେ କ୍ଷୁଦ୍ର ଜଳସେଚନର

ଯୋଜନା ହୋଇଛି ବିଚାର

।।

 

 

କି ରୂପେ ତାହା ଉପକାରୀ

ହୋଇବ କହ ଅଧିକାରୀ

।।

 

 

 

 

ଅଧିକାରୀ ଉବାଚ

 

 

 

କହନ୍ତି ଅଧିକାରୀ ଶୁଣ

ଏ ସବୁ ସହଯୋଗୀ ଜାଣ

।।

 

 

ସୁବିଧା ସ୍ଥଳ ଯହିଁ ଅଛି

ବୃହତ୍ ଯୋଜନା ହେଉଛି

।।

 

 

ନତୁବା କ୍ଷୁଦ୍ର ଯୋଜନାର

ପ୍ରସ୍ତାବ ହୋଇଛି ବିଚାର

।।

 

 

କ୍ଷୁଦ୍ର ଯୋଜନା ଫଳମାନ

କହୁଛି ଶୁଣି ହେ ପଧାନ

।।

 

 

କୋଟିଏ ବାର ଲକ୍ଷ ଭୂମି

ଏକର ତଳେ ପରିମାଣି

।।

 

 

ଏ କ୍ଷୁଦ୍ର ଜଳସେଚନାରେ

ଫଳଦା ହେବା ଗଣନାରେ

।।

 

 

 

 

ଯୋଜନା କରିଛି ଗ୍ରହଣ

ବିବିଧ ସ୍ଥଳେ କାର୍ଯ୍ୟମାନ

।।

 

 

ଚବିଶ ଲକ୍ଷ ଟନ ଶସ୍ୟ

ଅଧିକ ଫଳିବ ଅବଶ୍ୟ

।।

 

 

ଯୋଜନା ସଫଳତା ପାଇଁ

ଆମ୍ଭ ସାହାଯ୍ୟ ଲୋଡ଼ା ଭାଇ

।।

 

 

ବିଚାରିଛନ୍ତି ସରକାର

ତୁଲାଇବାକୁ କାର୍ଯ୍ୟ ଭାର

।।

 

 

ଏଥକୁ ଲୋଡ଼ା ବହୁଧନ

ତେଣୁ ହେ ଜନସାଧାରଣ-

।।

 

 

ଋଣ ରୂପରେ ଧନ ଦେଲେ

ଯୋଜନା ନିର୍ଭା ହେବ ଭଲେ

।।

 

 

ଅଥବା ଉନ୍ନତ-ମୂଳକ

କର ଦିଅନ୍ତୁ ଦେଶ ଲୋକ

।।

 

 

କିବା ଅଧିକ ଜଳକର

ଏହାଟି ସହଯୋଗ ମୂଳ

।।

 

 

ଗଢ଼ିବା ସମବାୟ ସଭା

ସମସ୍ତେ ସାହାଯ୍ୟ କରିବା

।।

 

 

ଜଳସେଚନ ଯୋଜନାର

ଫଳେ ମିଳିବ ଯେଉଁ ଜଳ

।।

 

 

ତହିଁର ସତ ଉପଯୋଗ

କଲେ ହୋଇବ ସହଯୋଗ

।।

 

 

ଅଥବା ବ୍ୟକ୍ତିଗତ ଭାବେ

ଜଳସେଚନ କାର୍ଯ୍ୟ ଯେବେ

।।

 

 

ନିଜ ସୁବିଧା ଅନୁଯାୟୀ

କରି ପାରିବେ କେହି କେହି

।।

 

 

କୃଷିର ଉନ୍ନତି ହୋଇବ

ଯୋଜନା ଫଳବତୀ ହେବ

।।

 

 

ପଧାନୋବାଚ

 

 

 

ପଧାନ କହଇ ଏଥର

ଏତ ଆମ୍ଭରି ଉପକାର

।।

 

 

ଯୁଗ ଯୁଗକୁ ବନ୍ଧଥିବ

ଅଧିକ ଶସ୍ୟ ଉପୁଜିବ

।।

 

 

ଆମ୍ଭର ଧନ ଆମ୍ଭେ ଖାଇ

କାଳ କାଟିବା ସୁଖେ ଥାଇ

।।

 

 

ଯାହା କହିଲ ଅଧିକାରୀ

ମନ ମାନିଲା ଶୁଣି କରି

।।

 

 

ଯେ ଅବା ପାରେ ଯେଉଁ ମତେ

ସାହାଯ୍ୟ କରିବା ସମସ୍ତେ

।।

 

 

ଅଧିକାରୀ ଉବାଚ

 

 

 

କହନ୍ତି ଅଧିକାରୀ ନନା

ଆଉ କଥାଏ ଜାଣିଛନା

?

 

 

ପାଞ୍ଚଶ ଷାଠିଏ ହଜାର

ଗ୍ରାମ ଅଟଇ ଭାରତର

।।

 

 

ତିନି ହଜାର ଗ୍ରାମ ପ୍ରାୟ

ପାଉଛି ବିଜୁଳି ସହାୟ

।।

 

 

ଅଧିକ ଯୋଗାଇବା ପାଇଁ

ଯୋଜନା ସଂସ୍ଥା ବିଚାରଇ

।।

 

 

ହୋଇବ କୃଷିର ଉନ୍ନତି

ଶିଳ୍ପରେ ବଢ଼ିବ ସଂପତ୍ତି

।।

 

 

ନୁହଇ ଏତିକି କେବଳ

ବିଦ୍ୟୁତଶକ୍ତିର ଯେ ଫଳ

।।

 

 

କହୁଛି ଶୁଣ ହେ ପଧାନ

ଉଜ୍ଜ୍ୱଳ ହେବ ଗ୍ରାମ ମାନ

।।

 

 

ସହର ପରି ଗ୍ରାମ ହେବ

ଆମୋଦ ପ୍ରମୋଦ ବଢ଼ିବ

।।

 

 

ଏଥି ପାଇଁକି ସରକାର

ଋଣ ଦେବାକୁ ତତପର

।।

 

 

ସମବାୟର ସୂତ୍ରେ ନେବେ

ଏ ଋଣ ଗ୍ରାମବାସୀ ସର୍ବେ

।।

 

 

ହୋଇଛି ଯୋଜନା ବିଧାନ

ଏକଥା ଜାଣ ହେ ପଧାନ

।।

 

 

ଶୁଣିଲେ ଏସନ ସଂବାଦ

ସକଳେ ହୋଇଲେ ଆନନ୍ଦ

।।

 

 

କହେ ପଧାନ ହସି ହସି

ହେ ପ୍ରଭୁ ବଇକୁଣ୍ଠବାସୀ

।।

 

 

ତୁମ୍ଭେ ହେ କର ଆଶୀର୍ବାଦ

ସଫଳ ହେଉ ଏ ସମ୍ବାଦ

।।

 

 

ଦିଅ ହେ ଜନ-ମନେ ବଳ

ହେ ପ୍ରଭୁ କରୁଣାସାଗର

।।

 

 

ତୁମ୍ଭ ପୟରେ ଚିତ୍ତ ରହୁ

କର୍ତ୍ତବ୍ୟ ସାଧି ଦିନ ଯାଉ

।।

 

 

ସକଳ ଭେଦ ଭାବ ଭୁଲି

ଆନନ୍ଦେ ବୋଲ ହରି ହରି

।।

 

ଇତି ଶ୍ରୀ ଯୋଜନା ଭାଗବତେ ଜଳସେଚନ ବିଧାନ କଥନେ

ନାମ ଷଷ୍ଠ ଅଧ୍ୟାୟ ।

***

 

Unknown

ସପ୍ତମ ଅଧ୍ୟାୟ

 

ଦେଉଳେ ଶଙ୍ଖ ବାଜିଲାଣି

ସନ୍ଧ୍ୟା ଆରତି ସରିଲାଣି

।।

 

 

ମେଘେ ଖେଳୁଛି ଗୋଟା ଜହ୍ନ

ବହୁଛି ଦକ୍ଷିଣା ପବନ

।।

 

 

ଗ୍ରାମବାସୀଏ ସରାଗରେ

ବସିଲେ ମଣ୍ଡପ ଆଗରେ

।।

 

 

ଗ୍ରାମର ସୁଖ ଦୁଃଖ ଯେତେ

କିଏ ସେ କହିଗଲେ କେତେ

।।

 

 

ଯାହା ମନକୁ ଯା ପାଇଲା

କେ କେତେ ପ୍ରକାର କହିଲା

।।

 

 

ଭଜନ ଦାସେ ବସିଥିଲେ

ଆରତି ମନ୍ତ୍ର ଜପୁଥିଲେ

।।

 

 

 

 

କାନେ ତ ସବୁ ପଡ଼ୁଥିଲା

ସନ୍ଧ୍ୟା ତାଙ୍କର ଶେଷ ହେଲା

।।

 

 

କହିଲେ ବାବୁ, ସବୁ ଛାଡ଼

ଘର କଥାକୁ ଆଗେ ବାଢ଼

।।

 

 

କୃଷି ଲାଗି ତ ସରକାର

ହୋଇ ଅଛନ୍ତି ଆଗଭର

।।

 

 

ଶିଳ୍ପକୁ ଦେଲେ କି ପଛାଇ

ସେ କଥା ମୁହିଁ ପଚାରଇ

।।

 

 

କହନ୍ତୁ ଅଧିକାରୀ ବାବୁ

ଜାଣି ଅଛନ୍ତି ଯାହା ସବୁ

।।

 

 

ଅଧିକାରୀ ଉବାଚ

 

 

 

ହସି କହନ୍ତି ଅଧିକାରୀ

ବିଚାର ନୁହଇ ସେପରି

।।

 

 

 

 

ଚଉରାନବେ କୋଟି ଟଙ୍କା

ଏ ପଦେ ହୋଇଅଛି ଲେଖା

।।

 

 

ଦେଶରକ୍ଷାକୁ ଛାଡ଼ି ଦେଇ

ବହୁ ପ୍ରକାର ଶିଳ୍ପ ପାଇଁ

।।

 

 

ବ୍ୟୟ ରହିଛି ଏ ବାହାରେ

ଖଣିଜ ଦ୍ରବ୍ୟ ଉନ୍ନତିରେ

।।

 

 

ଆହୁରି କ୍ଷୁଦ୍ର ଶିଳ୍ପ ପାଇଁ

ବ୍ୟବସ୍ଥାମାନ ଅଛି ରହି

।।

 

 

ବୃହତ ଶିଳ୍ପ ଅନୁଷ୍ଠାନ

ଗଢ଼ିବେ ଶିଳ୍ପପତି ଗଣ

।।

 

 

କୃଷି ଶିଳ୍ପର ବିକାଶରେ

ଧନ ଯୋଗାଣ ଏକତ୍ରରେ

।।

 

 

ଦାସେ ହୋ ମନରେ ବିଚାର

ଜୀଇବା କଥା ମୂଳ କର

।।

 

 

ଆପେ ଜୀଇଲେ ବାପ ନାମ

କାଳହୁଁ ଏହା ତ ପ୍ରମାଣ

।।

 

 

କୃଷି ବିହୀନେ ସର୍ବନାଶ

କାହୁଁ ବା ଜୀବନରେ ଆଶ

?

 

 

ଏଣୁ କୃଷିକୁ ଆଗ କରି

ଯୋଜନା ଅଛିଟି ବିଚାରି

।।

 

 

ଏ ଅର୍ଥେ ବହୁ ପରିମାଣ

ବ୍ୟୟ ହୋଇବ ଏ ପ୍ରମାଣ

।।

 

 

ବିଜୁଳି ଶକ୍ତି ପାଇଁ ଯାହା

ଲାଗୁ ହେଉଛି ବୁଝ ତାହା

।।

 

 

ଶିଳ୍ପ ଦିଗରେ ବ୍ୟୟ ସେ ତ

ଏକଥା ନୁହେଁ ଅନୁଚିତ

।।

 

 

ବୃହତଶିଳ୍ପୋନ୍ନତି ପାଇଁ

ଯାହା ଯୋଜନା ଅଛି ହୋଇ

।।

 

 

ବହୁଳ ଅଂଶଟି ତହିଁରୁ

ବ୍ୟୟିତ ହେବ ସରକାରୁ

।।

 

 

ବାକି ଯେ ଧନ ଲୋଡ଼ା ହେବ

ବାହାରୁ ସେପାଣ୍ଠି ଉଠିବ

।।

 

 

ଏ ଭଳି ଆଶା ବାନ୍ଧି ମନେ

ଯୋଜନା ଲାଗିଛି ତା କର୍ମେ

।।

 

 

ଦାସୋବାଚ

 

 

 

କହଇ ଶ୍ରୀ ଭଜନ ଦାସ

ଶୁଣି ହୋଇଲା ମନ ତୋଷ

।।

 

 

କହନ୍ତୁ ଯୋଜନା ମଧ୍ୟରେ

କି ଜାତି ଶିଳ୍ପ କି ପ୍ରକାରେ

।।

 

 

କରିବା ପାଇଁ ଉପଜାତ

ବିଧିରେ ରହିଛି ସଙ୍କେତ

।।

 

 

 

 

ମୋ ଜାଣିବାରେ କହୁଥାଇଁ

ଖାଦ୍ୟ ପ୍ରସ୍ତୁତ ହେବାପାଇଁ

।।

 

 

ଅଛି ଯେତିକି ଯନ୍ତ୍ରପାତି

ହୋଇଲେ ଉତ୍ତମ ନିଯୁକ୍ତି

।।

 

 

ଦେଶର ଖାଦ୍ୟପେୟ ପାଇଁ

ଅଭାବ କିଛି ହେବ ନାହିଁ

।।

 

 

ବଳିବ ସେଥିରୁ ଆବର

ବିଦେଶେ ହେବ କାରବାର

।।

 

 

ତେଣୁ ହେ ନୁହଇ ଯୁକତି

ବଢ଼ାଇବାର ଯନ୍ତ୍ରପାତି

।।

 

 

ଯହିଁରୁ ଖାଦ୍ୟପେୟ ଆଦି

ଉତ୍ପନ୍ନ ହେଉଛି ଅବଧି

।।

 

 

ଆଉ କାହିଁରେ ସରକାର

ବ୍ୟୟକୁ କରନ୍ତି ବିଚାର

।।

 

 

ସେ କଥା ଶୁଣିବାକୁ ମନ

କହ ହେ ତହିଁର ବିଧାନ

।।

 

 

ଅଧିକାରୀ ଉବାଚ

 

 

 

ଉତ୍ତର ଦେଲେ ଅଧିକରୀ

ସେ କଥା କହୁଛି ଆହୁରି

।।

 

 

କୋଟିଏ ଟଙ୍କାରୁ ଅଧିକ

ଏମନ୍ତେ ଯେଉଁ ଶିଳ୍ପଯାକ

।।

 

 

ନିଜ ହାତରେ ସରକାର

କରିବେ ତାର କାରବାର

।।

 

 

ଇସ୍ପାତ, ସିମେଣ୍ଟ, ଇଞ୍ଜିନ

କଳକବଜା ଟେଲିଫୋନ

।।

 

 

ଜାହାଜ, ତାର, କପା, ଲୁଣ

ଏ ଆଦି କାରଖାନାମାନ

।।

 

 

 

 

ବେତାର ବିଦ୍ୟୁତ ଯୋଜନା

ଯନ୍ତ୍ର ତିଆରି କାରଖାନା

।।

 

 

ଉଣିଶିଶହ ଏକାବନ

ସାଲରୁ ହୋଇଲା ଭିଆଣ

।।

 

 

ଉଣିଶିଶହ ଯେ ଛପନ

ସାଲ ଅବଧି ପରିମାଣ

।।

 

 

ଏ ପାଞ୍ଚ ବରଷ କାଳରେ

ଯୋଜନା ଯାହା କରିପାରେ

।।

 

 

ତହିଁର ବିବିଧ ବିଚାର

ବିଧାନିଛନ୍ତି ସରକାର

।।

 

 

ଯୁଦ୍ଧକାଳରେ ଲୋଡ଼ା ଯାହା

ସର୍କାର ଗଢ଼ାଇବେ ତାହା

।।

 

 

ଅନ୍ୟାନ୍ୟ ଶିଳ୍ପ ଯେତେ ଯେତେ

ବେସରକାରୀ ଜନ ହାତେ

।।

 

 

ଛାଡ଼ି ଅଛନ୍ତି ସରକାର

ଏଥକୁ ଆନ ନ ବିଚାର

।।

 

 

ଦାସୋବାଚ

 

 

 

ବୋଇଲେ ଦାସେ ଏବେ ଶୁଣ

ମନେ ସନ୍ଦେହ ରହେ ପୁଣ

।।

 

 

ବେସରକାରୀ ପୁଞ୍ଜିପତି

ଶିଳ୍ପ ଚାଳିବେ ହେଲା ନୀତି

।।

 

 

ତେବେ କି ତାଙ୍କ ଇଚ୍ଛାମତେ

ବେଉସା ଚଳାଇବେ ଯେତେ

।।

 

 

ତହିଁରେ ଯେବେ କ୍ଷତିହେବ

ଜନତା ସିନା ତା ସହିବ

।।

 

 

ଏଥିପାଇଁକି ସରକାର

କି କରିଛନ୍ତି ପ୍ରତିକାର

?

 

 

 

 

ବୁଝାଇ ଅଧିକାରୀ କହ

ତୁଟିବ ସକଳ ସନ୍ଦେହ

।।

 

 

ଅଧିକାରୀ ଉବାଚ

 

 

 

କହନ୍ତି ଅଧିକାରୀ ହସି

ବହୁତ ବିଚାରିଛ ବସି

।।

 

 

ଦେଖିଲି ଦାସେ ପକ୍‌କାଜଣେ

ପଚାର ପ୍ରଶ୍ନ ପଣେ ପଣେ

।।

 

 

ଏଥକୁ ପ୍ରତିକାର ଯାହା

ହୋଇଛି କହୁଛଇଁ ତାହା

।।

 

 

ବେସରକାରୀ ଶିଳ୍ପ ପାଇଁ

ନିୟମ କେତେ ଅଛି ହୋଇ

।।

 

 

ସର୍କାର ନୁହନ୍ତି ନିଶ୍ଚିନ୍ତ

ସବୁ କଥାରେ ଅଛି ହାତ

।।

 

 

 

 

ବେସରକାରୀ ହାତେ ଛାଡ଼ି

ଶୋଇବେ ନାହିଁ ମୁହଁମାଡ଼ି

।।

 

 

କର୍ତ୍ତୃତ୍ୱ ରହିବ ଆବର

ତନଖି କରିବେ ସର୍କାର

।।

 

 

ବେସରକାରୀ ଶିଳ୍ପପତି

ସାହାଯ୍ୟ ଲଭି ନାନାଜାତି

।।

 

 

କରିବେ ଶିଳ୍ପର ଉନ୍ନତି

ଏହିଟି ଯୋଜନାର ରୀତି

।।

 

 

ବିଦ୍ୟୁତ ଅଳପ ବ୍ୟୟରେ

ଯୋଗାଣ ହେବ ସୁବିଧାରେ

।।

 

 

ଆବର କେତେ ଯନ୍ତ୍ରପାତି

କଞ୍ଚା ମାଲର ଯେ ସଂଗତି

।।

 

 

ତହିଁରୁ ଆମଦାନୀକର

କମିବା ଅଛିଟି ବିଚାର

।।

 

 

ପ୍ରତି ଶିଳ୍ପକୁ ଦୃଷ୍ଟି ଦେଇ

ଲୋଡ଼ା ହୋଇବ ଯାହା ତହିଁ

।।

 

 

ସାହାଯ୍ୟ କରିବେ ବିଚାରି

ଏ ନୀତି ଅଟେ ସରକାରୀ

।।

 

 

ଏଥକୁ ଆଉ କଥାମାନ

ଯୋଜନା କରିଛି ବିଧାନ

।।

 

 

ବିଦେଶୀ ପୁଞ୍ଜିପତି ଯେବେ

ଏ ଦେଶେ ଧନ ଖଟାଇବେ

।।

 

 

ଆମ୍ଭ ଦେଶର ରାଜନୀତି

ଆବର ଆମ୍ଭ ଅର୍ଥନୀତି

।।

 

 

ଅବସ୍ଥା ବିଚାର ପ୍ରକାରେ

ଟିକସ ଦେବେ ଯଥାକାଳେ

।।

 

 

ହୋଇଲେ ବୃଦ୍ଧି ବା ଘଟତି

ନ ଥିବ ତହିଁକି ଆପତ୍ତି

।।

 

 

ସର୍କାର ଯେବେ କରେ ମନ

ବାହାରି ଅନୁଷ୍ଠାନମାନ

।।

 

 

ଅବା ବେସରକାରୀ ଯାହା

ନିଜ ଅଧୀନ ହେବ ତାହା

।।

 

 

ହେଲେ ଏ ବିଚାର ସିଦ୍ଧାନ୍ତ

ବିଦେଶୀ ହେବେ ହନ୍ତସନ୍ତ

।।

 

 

ଏମନ୍ତ ମନରେ ସନ୍ଦେହ

ଜାଗିବା ଅସମ୍ଭବ ନୁହଁ

।।

 

 

ଉଜୁଡ଼ି ଯିବ ମୂଳଧନ

ଲାଭ ବୁଡ଼ିବ ଅକାରଣ

।।

 

 

ବିଦେଶୀ ପୁଞ୍ଜିପତିଗଣ

କାଳେ ସନ୍ଦେହୀ ହେବ ମନ

।।

 

 

ଦେଶ ସ୍ୱାଧୀନ ହେବା ପରେ

ଅର୍ଥନୀତିକ ସଙ୍କଟରେ

।।

 

 

କେତେକ କାଳ ଗଲା ବହି

କି ହେବ ନ ହେଲା ତା କହି

।।

 

 

ବିଭକ୍ତ ହେଲାରୁ ଏ ଦେଶ

ସଙ୍କଟ ଜାଗିଲା ବିଶେଷ

।।

 

 

ସେହି କାଳରେ ଶିଳ୍ପ ପ୍ରତି

କି ହେବ ସରକାରୀ ନୀତି

।।

 

 

କେହି ତା ବାରି ନ ପାରିଲେ

ତେଣୁ ହେ ସନ୍ଦେହେ ଭ୍ରମିଲେ

।।

 

 

ଏବେ ସଂକଟ କାଳ ନାହିଁ

ବଦଳି ଗଲାଣି ସେ କାହିଁ

।।

 

 

ତେଣୁ ସ୍ପଷ୍ଟରେ ସରକାର

ଦେଶରେ କରିଲେ ପ୍ରଚାର

।।

 

 

ବେସରକାରୀ ଶିଳ୍ପମାନ

ରହିବ ସେହିପରି ଜାଣ

।।

 

 

ସେ ସବୁ ଜାତୀୟ ସମ୍ପତ୍ତି

ରୂପରେ ନ ହେବ ଗଣତି

।।

 

 

ଏଣୁ ବିଦେଶୀ ପୁଞ୍ଜିପତି

ମନରୁ ଛାଡ଼ିଲେଣି ଭୀତି

।।

 

 

ଏବେ ହେ ଚେଷ୍ଟା ଲାଗିଲାଣି

କେତେକ ଚୁକ୍ତି ତୁଟିଲାଣି

।।

 

 

ବିଦେଶୀ ପୁଞ୍ଜିପତି ଦଳ

ଖଟାଇ ନିଜ ପୁଞ୍ଜିବଳ

।।

 

 

ଏ ଦେଶେ ବଣିଜ ଚାଳିବେ

ସନ୍ଦେହ ମନେ ନ କରିବେ

।।

 

 

ଆସିଛି ଏ ଶୁଭ ସମୟ

ବୋଲ ଶ୍ରୀଜଗନ୍ନାଥ ଜୟ

।।

 

 

ତାଙ୍କର ଇଚ୍ଛା ପୂର୍ଣ୍ଣ ହେଉ

ତ୍ରିରଙ୍ଗୀ ଧ୍ୱଜା ଉଡ଼ୁଥାଉ

।।

 

 

ସୁଖେ ରହନ୍ତୁ ପ୍ରଜାକୁଳ

ବଢ଼ୁ ହୋ ସମ୍ପଦ ପ୍ରଚୁର

।।

 

 

ଆନନ୍ଦେ ହରି ହରି କହି

ମଣି ସକଳେ ଭାଇ ଭାଇ

।।

 

 

ସାଧିବା ଦେଶ ହିତ ଆସ

ଧର୍ମରେ ନିବେଶି ବିଶ୍ୱାସ

।।

 

ଇତି ଶ୍ରୀ ଯୋଜନା ଭାଗବତେ ଶିଳ୍ପ ସଂଯୋଜନା ବର୍ଣ୍ଣନେ

ନାମ ସପ୍ତମ ଅଧ୍ୟାୟ ।

***

 

ଅଷ୍ଟମ ଅଧ୍ୟାୟ

 

ଏମନ୍ତେ ସନ୍ଧ୍ୟାକାଳେ ଦିନେ

ଦାସେ ବିଚାର କଲେ ମନେ

।।

 

 

ଯିବେ ସେ ଭାଗବତ ଘରେ

କଳପି ଅଛନ୍ତି ମନରେ

।।

 

 

ମିଶ୍ରଙ୍କୁ ପଚାରିବା ପାଇଁ

କେତେକ କଥା ଅଛି ରହି

।।

 

 

ଏତେ ବିଚାରି ଦାସେ ଗଲେ

ମିଳିଲେ ଭାଗବତ ଘରେ

।।

 

 

ଯୋଗକୁ ମିଶ୍ରେ ଥିଲେ ତହିଁ

ତା ଦେଖି ହସ ହସ ହୋଇ

।।

 

 

ଦାସେ ବୋଇଲେ ଭଲ ହେଲା

ତୁମ୍ଭର ସାକ୍ଷାତ ମିଳିଲା

।।

 

 

 

 

ପଚାରିବାକୁ ଅଛି ମନ

କର ହେ, ସନ୍ଦେହ ମୋଚନ

।।

 

 

ମିଶ୍ରୋବାଚ

 

 

 

ହସି କହିଲେ ମିଶ୍ରନନା

କହିବା ଜାଣିଥିଲେ ସିନା

।।

 

 

ଦାସେ ହୋ ତୁମ୍ଭେ ତ ଚତୁର

କି ପ୍ରଶ୍ନ କରୁଛ ଏଥର

।।

 

 

ଦାସେ କହିଲେ ଶୁଣ ମିଶ୍ରେ

ମନରେ କଥାଏକ ଆସେ

।।

 

 

ଶିଳ୍ପ ଯୋଜନା କଥା ଶୁଣି

ମନେ ମନେ ମୁଁ ହୁଏ ଗୁଣି

।।

 

 

ଅନେକ କଳକାରଖାନା

ଯୋଜନା କରୁଛି କଳନା

।।

 

 

 

 

କିନ୍ତୁ ଗୋଟିଏ କଥା ପାଇଁ

ମୋ ମନେ ଭାବନା ଆସଇ

।।

 

 

ଗ୍ରାମରେ ଶିଳ୍ପ ନାନା ଜାତି

କାଳ କାଳରଅଟେ ରୀତି

।।

 

 

ତହିଁରେ କ୍ଷୁଦ୍ର କର୍ମକାର

ଚଳାଏ ଆପଣା ସଂସାର

।।

 

 

ଖଟାଇ ତହିଁ ଅଳ୍ପ ଧନ

କରଇ ଜିବିକା ଅର୍ଜ୍ଜନ

।।

 

 

ବିରାଟ ଶିଳ୍ପ କାରଖାନା

ହୋଇଛି ଏବେ ତ କଳ୍ପନା

।।

 

 

କି ହେବ କ୍ଷୁଦ୍ର ଶିଳ୍ପ ଦଶା

ଭାଙ୍ଗିବ ସିନା ପକ୍ଷୀବସା

।।

 

 

ଭାବନ୍ତି ତୋଳିବେ ପ୍ରାସାଦ

ଏଥେ ମୁଁ ଗଣଇ ପ୍ରମାଦ

।।

 

 

କୁଟୀର ଶିଳ୍ପ ନାଶ ଗଲେ

ଥୋକେତ ମରିଯିବେ ହେଲେ ।।

 

 

 

କେତେ ବା ହୋଇବେ ବେକାର

ଏଥରକୁ କହ ପ୍ରତିକାର

।।

 

 

ମିଶ୍ରୋବାଚ

 

 

 

ମିଶ୍ରେ କହିଲେ ଶୁଣି ଏହା

ଦାସେ ନ ଭାବ ମନେ ତାହା

।।

 

 

କ୍ଷୁଦ୍ର କୁଟୀର ଶିଳ୍ପ ପାଇଁ

ବିଚାର ଅନେକ ଅଛଇ

।।

 

 

ଗାଆଁ ଗହଳେ କୋଟି କୋଟି

ତଣ୍ଟି କିଏ ସେ ଦେବ କାଟି

?

 

 

କ୍ଷେତରେ ଖଟି ଛଅ ମାସ

ଚାଷୀଏ ମାରନ୍ତି ନିଃଶ୍ୱାସ

।।

 

 

 

 

ବସନ୍ତି ନିଷ୍କର୍ମା ସେ ହୋଇ

କର୍ମ ଯୋଗାଣ କିଛି ନାହିଁ

।।

 

 

ଏ ସର୍ବେ ସହଜେ ଖଟିବେ

ସୁଖରେ କୁଟୁମ୍ବ ପୋଷିବେ

।।

 

 

ତହିଁକି ଅଛିଟି ବିଚାର

ଗ୍ରାମେ କୁଟୀର ଶିଳ୍ପସାର

।।

 

 

ଏଥକୁ ଚଳିବ ଉଦ୍ୟମ

ଗବେଷଣାର କେନ୍ଦ୍ରମାନ

।।

 

 

ବିବିଧ ସ୍ଥାନରେ ବସିବ

ଶିଳ୍ପର ବିକାଶ ଲଭିବ

।।

 

 

ଆହୁରି ସମବାୟ ସଭା

ଗଢ଼ି ଯୋଜନା ହେବ ନିର୍ଭା

।।

 

 

କୁଟୀର ଶିଳ୍ପଜାତ ଦ୍ରବ୍ୟ

ଉଚିତ ଦରେ ବିକ୍ରୀ ହେବ

।।

 

 

ତହିଁକି ବ୍ୟବସାୟ କ୍ଷେତ୍ର

ଖୋଜିବ ସମବାୟ ସୂତ୍ର

।।

 

 

କିଣିବେ ଉଆରା ଦରରେ

ଲାଭ କରିବେ ବଣିଜରେ

।।

 

 

ବୃହତ ଶିଳ୍ପରୁ ଉତ୍ପନ୍ନ

ହୋଇବ ଯେଉଁ ଦ୍ରବ୍ୟମାନ

।।

 

 

ତା ତୁଲେ କୁଟୀର ଶିଳ୍ପର

ପତିଯୋଗଟି ଭୟଙ୍କର

।।

 

 

ଏଥକୁ ଉଭୟ ପ୍ରକାର

ଶିଳ୍ପର ଚଳିବ ବେଭାର

।।

 

 

ସେ ଭଳି ସ୍ଥଳ ବଛା ହେବ

କାହାରି ଅସଜ ନୋହିବ

।।

 

 

ବୃହତ୍ତ ଶିଳ୍ପଦ୍ରବ୍ୟ ପରେ

ଟିକସ ବସାଇ ବିଧିରେ

।।

 

 

କୁଟୀର ଶିଳ୍ପ ଦ୍ରବ୍ୟ ପ୍ରତି

ସାହାଯ୍ୟ ଦେବା ହେବ ନୀତି

।।

 

 

ପୁଣି ଏ ରାଜ୍ୟ ସରକାରେ

ସମୟ ଲୋଡ଼ା ଅନୁସାରେ

।।

 

 

କୁଟୀର ଶିଳ୍ପ ଦ୍ରବ୍ୟମାନ

ଅଧିକେ କିଣିବା ପ୍ରମାଣ

।।

 

 

ଦେଖୁଛ ଅନୁଷ୍ଠାନମାନ

ଗଢ଼ାହେଉଛି ଦିନୁ ଦିନ

।।

 

 

ହାତ ତନ୍ତର ବୁଣା କାର୍ଯ୍ୟ

ତହିଁରେ ରହିବା ନିଧାର୍ଯ୍ୟ

।।

 

 

ଆହୁରି ହସ୍ତକର୍ମମାନ ।

 

ଉନ୍ନତି ଲାଗି ଦେଇ ଧ୍ୟାନ

।।

 

 

ବିବିଧ ଅନୁଷ୍ଠାନ କେତେ

ଗଠିତ ହୁଏ ଏହିମତେ

।।

 

 

ଦାସେ ହୋ ଚିନ୍ତା ଦୂର କର

ଉନ୍ନତି କୁଟୀର ଶିଳ୍ପର

।।

 

 

ଅବଶ୍ୟ ହେଉଛି ବିଧାନ

ଏକଥା ସ୍ଥିରଭାବେ ଜାଣ

।।

 

 

ଶୁଣି ଯେ ଗ୍ରାମବାସୀ ଥିଲେ

ଯୋଜନା ସଂସ୍ଥା ପ୍ରଶଂସିଲେ

।।

 

 

ଡାକିଲେ ଆହେ ଆଦିମୂଳ

ଭାବନା କରାଅ ସଫଳ

।।

 

 

ତୁମ୍ଭ ନାମରେ ଉଡ଼ୁ ବାନା

ସକଳ ତୁମ୍ଭରି କରୁଣା

।।

 

ଇତି ଶ୍ରୀ ଯୋଜନା ଭାଗବତେ କୁଟୀର ଶିଳ୍ପ ବିଧାନ କଥନେ

ନାମ ଅଷ୍ଟମ ଅଧ୍ୟାୟ ।

***

 

ନବମ ଅଧ୍ୟାୟ

 

ପଶ୍ଚିମେ ତପନ ବୁଡ଼ିଲେ

ଗୋଠରୁ ଗୋଧନ ଫେରିଲେ

।।

 

 

ହଳ ମେଲାଣି କରି ଚାଷୀ

ଘରେ ବାହୁଡ଼େ ହସି ହସି

।।

 

 

ସଞ୍ଜ ଜଳିଲା ଦ୍ୱାରେ ଦ୍ୱାରେ

ଆଳତି ବଢ଼ିଲା ମନ୍ଦିରେ

।।

 

 

ଗାଆଁ ମଝିରେ ଗାଦିଘର

ପ୍ରବେଶି ଗ୍ରାମବାସୀ ଦଳ

।।

 

 

କରନ୍ତି ପୁରାଣ ଶ୍ରବଣ

ସକଳେ ହୋଇ ଏକମନ

।।

 

 

ପଧାନେ ପ୍ରବେଶ ହୋଇଲେ

ମିଶ୍ରଙ୍କୁ ଦେଖି ଓଳଗିଲେ

।।

 

 

 

 

ରାତ୍ରି ପ୍ରହରେ ଆସିହେଲା

ବୁଦାରେ ଶିଆଳ ରାବିଲା

।।

 

 

ପୁରାଣ ପାଠ ଶେଷକରି

ମିଶ୍ରଙ୍କୁ ସର୍ବେ ଗଲେ ଘେରି

।।

 

 

ପଧାନେ ଆଗୁଆ ହୋଇଣ

ମିଶ୍ରଙ୍କୁ ପଚାରିଲେ ପୁଣ

।।

 

 

ପଧାନୋବାଚ

 

 

 

ଆହେ ମିଶ୍ରେ ମୁଁ ଶୁଣୁଅଛି

ଯେ ଧନ ବ୍ୟବସ୍ଥା ହୋଇଛି

।।

 

 

ଯୋଜନା ଲାଗି ବ୍ୟୟ ହେବ

ଅଧାରୁ ବେଶୀ ତହୁଁ ଯିବ

।।

 

 

ଉନ୍ନତି ହେବ ରେଳବାଇ

ଏକଥା ହୁଏ କାହିଁପାଇଁ

?

 

 

 

 

 

 

ମିଶ୍ରୋବାଚ

 

 

 

ମିଶ୍ରେ କହିଲେ ପଧାନେ ହୋ

ଏକଥା ନ ବୁଝୁଛ କିହୋ

।।

 

 

କୃଷି ଶିଳ୍ପର ସମୁନ୍ନତି

ପାଇଁ ତ ରେଲ ଲୋଡ଼ା ଅତି

।।

 

 

ଗତ ଯୁଦ୍ଧରେ ରେଲବାଇ

ବହୁତ କ୍ଷତି ସହିଥାଇ

।।

 

 

ଅବଧି ସେ କ୍ଷତିପୂରଣ

ହୋଇ ତ ପାରିନାହିଁ ଜାଣ

।।

 

 

ସେ କ୍ଷତି ପୂରଣ ହୋଇବ

ଆବର ଉନ୍ନତି ଲଭିବ

।।

 

 

ଏଥକୁ ହେତୁ କର ମନ

ଲୋଡ଼ା ହୋଇବ କେତେଧନ

।।

 

 

ରେଲରେ ଯିବା ଆସିବାର

ବଢ଼ୁଛି ଦେଖୁଛ ଏଥର

।।

 

 

ବଢ଼ିଲେ ଲୋକ ଗତାଗତ

ପଦାର୍ଥ ବୋଝ ବଢ଼ିବ ତ

।।

 

 

ସେ ସବୁ ନିଅ ଆଣ ପାଇଁ

ଉନ୍ନତ ହେବ ରେଲବାଇ

।।

 

 

ତେଣୁ ସେ ବିଭାଗ ଉନ୍ନତି

ଲୋଡ଼ା ତ ପଡ଼ୁଛି ଝଟତି

।।

 

 

ଭିନ୍ନ ବିଭାଗୁଁ ଅର୍ଥ ନେଇ

ବଢ଼ାଯାଉଛି ରେଲବାଇ

।।

 

 

ଏଥର ଦେଶରେ ଆମ୍ଭର

ଇଞ୍ଜିନ ହୋଇବ ତିଆର

।।

 

 

 

 

 

 

 

 

ପଧାନୋବାଚ

 

 

 

ପଧାନ କହେ ହସି ହସି

ସେ କଥା ଶୁଣିଥିଲି କିଛି

।।

 

 

ଟାଟା ଇଞ୍ଜିନ କାରଖାନା

ଚିତ୍ତରଞ୍ଜନ ବୋଲିଣ ନାଁ

।।

 

 

ଦୁଇଟି କାରଖାନା ହେବ

ଇଞ୍ଜିନ କେତେ ଯୋଗାଇବ

।।

 

 

ଏଥିରୁ ଯାହା କିଛି ହେବ

ଲୋଡ଼ାକୁ ନିଅଣ୍ଟ ପଡ଼ିବ

।।

 

 

ଊଣାରେ ଶହେ ନବେଗୋଟି

ଇଞ୍ଜିନ ଲୋଡ଼ା ପଡ଼ିବଟି

।।

 

 

ତହିଁରୁ ପ୍ରତ୍ୟେକ ବରଷ

ଦେଢ଼ଶ ଯୋଗାଇବ ଦେଶ

।।

 

 

 

 

ବାକି ଆସିବ ବିଦେଶରୁ

ଶୁଣିଛି ମୁଁ ଲୋକମୁଖରୁ

।।

 

 

ମିଶ୍ରୋବାଚ

 

 

 

ମିଶ୍ରେ କହିଲେ କଥା ସତ

ପଧାନେ ସବୁ ଜାଣିଛ ତ

।।

 

 

ତୃତୀୟ ଶ୍ରେଣୀ ଯାତ୍ରୀପାଇଁ

ବେଶୀ ବ୍ୟବସ୍ଥା ଅଛି ହୋଇ

।।

 

 

ଏଥକୁ ଯେଉଁ ପରିମାଣ

ବ୍ୟୟର ବ୍ୟବସ୍ଥା ପ୍ରମାଣ

।।

 

 

ବହୁଳ ଅଂଶ ତହୁଁ ନେଇ

ତୃତୀୟ ଶ୍ରେଣୀ ଯାତ୍ରୀପାଇଁ

।।

 

 

ବ୍ୟୟ ହୋଇବ ଏହି କଥା

ଯୋଜନା କରିଛି ମସୁଧା

।।

 

 

 

 

ଜାହାଜ ହୋଇବ ଗଠନ

ସେ ପକ୍ଷେ ଲୋଡ଼ା ବହୁଧନ

।।

 

 

ବିଭକ୍ତ ହେଲାରୁ ଭାରତ

କରାଚି ବନ୍ଦର ଗଲା ତ

।।

 

 

ସେ ଥିଲା ପ୍ରଧାନ ବନ୍ଦର

ବନ୍ଦ ହୋଇଲା କାରବାର

।।

 

 

ଏବେ ହୋ ବୋମ୍ବାଇ ବନ୍ଦର

ହୋଇଛି କାରବାର ସ୍ଥଳ

।।

 

 

ଅଧିକ ଚାପା ପଡ଼ୁଅଛି

ତେଣୁ ଯୋଜନା ବିଚାରିଛି

।।

 

 

କଣ୍ଡଲା ନାମକ ବନ୍ଦର

ଉନ୍ନତ ହୋଇବ ଏଥର

।।

 

 

ଏହା ଫଳରେ ବହୁ ଦ୍ରବ୍ୟ

ବିଦେଶେ ରପ୍ତାନୀ ସମ୍ଭବ

।।

 

 

ମୋଟର ତେଲ ବିଶୋଧନ

ପାଇଁକି ହେଉଛି ବିଧାନ

।।

 

 

ବମ୍ବେ ବିଶାଖପାଟଣାରେ

ଶୋଧନ ଯୋଗାଣ ଆଶାରେ

।।

 

 

ବିଶୋଧନର କାରଖାନା

ବ୍ୟବସ୍ଥା କରୁଛି ଯୋଜନା

।।

 

 

ପଧାନୋବାଚ

 

 

 

ବିଚାରି ପଧାନ କହଇ

ଏସବୁ କଥା ଶୁଣିଲଇଁ

।।

 

 

ମିଶ୍ରେ ହୋ, ଯେବେ ଜାଣିଥିବ

ମୁଁ ଯାହା ପଚାରେ କହିବ

।।

 

 

ଗାଆଁ ଗଣ୍ଡାକୁ ଦେଖ ଥରେ

ପଥ ଘାଟର ଅଭାବରେ

।।

 

 

 

 

ଉନ୍ନତି ନୁହଇ ସମ୍ଭବ

ଏହା ପାଇଁକି କିସ ହେବ

?

 

 

ଆମ୍ଭେ ସକଳେ ଗ୍ରାମବାସୀ

ତିଆରି ଦେବୁ ମିଳିମିଶି

।।

 

 

ତଥାପି ସାହାଯ୍ୟ ଲୋଡ଼ା ତ

ବିଚାର ମିଛ କି ଏ ସତ

।।

 

 

ଏ କଥା ଅଟଇ ପ୍ରତ୍ୟକ୍ଷ

ଯୋଜନା କରିଛି କି ଲକ୍ଷ୍ୟ

?

 

 

ମିଶ୍ରୋବାଚ

 

 

 

ମିଶ୍ରେ କହିଲେ ଶୁଣ ଶୁଣ

ତହିଁକି ହୋଇଛି ବିଧାନ

।।

 

 

ଏତିକି ନୁହେଁ ହୋ ପଧାନ

ଆହୁରି ଅଛି କର୍ମମାନ

।।

 

 

 

 

ଗ୍ରାମଗୋଷ୍ଠୀର ଯୋଜନାରେ

ବିଶେଷ ଲକ୍ଷ୍ୟ ଏହିଠାରେ

।।

 

 

ନିଜ ଇଚ୍ଛାରେ ଲୋକେ ଯେବେ

ଘାଟ, ସଡ଼କ ନିର୍ମାଣିବେ

।।

 

 

ତହିଁକି ଆମ ସରକାର

ସାହାଯ୍ୟ ଦେବେଟି ମୁକର

।।

 

 

ଏଥିପାଇଁକି ବହୁଧନ

ଯୋଜନା କରିଛି ବିଧାନ

।।

 

 

ଆହୁରି ବଡ଼ ପଥ, ଶଙ୍ଖ

ଯୋଜନା କରିଅଛି ଲେଖ

।।

 

 

ସାମ୍ରାଜ୍ୟେ ଯେ ରାଜ୍ୟ ଅଛଇ

ତିନି ଶ୍ରେଣୀରେ ବଣ୍ଟାହୋଇ

।।

 

 

ସଡ଼କ ହୋଇବ ତିଆର

ବ୍ୟୟ ବହିବ ସରକାର

।।

 

 

ଗାଆଁ ଗଣ୍ଡାକୁ ପଥ ହେବ

ବେଉସା ସହଜେ ଚଳିବ

।।

 

 

ତୁମ୍ଭେ ଆମ୍ଭେ ହୋ ଗତାଗତ

ହୋଇବା ସୁଖରେ ସନ୍ତତ

।।

 

 

ପାଞ୍ଚବରଷ ମଧ୍ୟେ ଯାହା

ଆଶା ରହିଛି କହେଁ ତାହା

।।

 

 

ତେୟାଳିଶଟି ବଡ଼ ପୋଲ

ପ୍ରସ୍ତୁତ ହେବା ନୁହେଁ ଗେଲ

।।

 

 

ଦୁଇ ହଜାର ଦୁଇଶତ

ମାଇଲ ତିଆରିବେ ପଥ

।।

 

 

ଏ ତ ନୁହଇ ଖେଳଘର

ଅର୍ଥର ବେଭାର ସକଳ

।।

 

 

ଦେଶଭାଇଙ୍କ ସହଯୋଗ

ଏଥିପାଇଁ କି ଲୋଡ଼ା ଆଗ

।।

 

 

ଦେଶର ବିବିଧ ଉନ୍ନତି

ହୋଇଛି ଯୋଜନାର ନୀତି

।।

 

 

ତିନି ଭାଗରୁ ଭାଗ ଦୁଇ

ଯୋଜନା କାଳେ ପୂର୍ତ୍ତି ପାଇଁ

।।

 

 

ବିଚାରିଛନ୍ତି ସରକାର

ଏଥକୁ ସହଯୋଗ ସାର

।।

 

 

ଶୁଣିଣ ଏସନ ବଚନ

ସକଳେ ହରଷିତ ମନ

।।

 

 

ପୁଣିହିଁ କହଇ ପଧାନ

ଆଉ କଥାଏ ଅଛି ମନ

।।

 

 

କାଲି ଆସିଲେ ପଚାରିବା

ରାତ୍ର ହେଲାଣି ଚାଲ ଯିବା

।।

 

 

ସକଳେ ଦେଲେ ହରିବୋଲ

ଭାଜିଲା ସଭାର ଗହଳ

।।

 

ଇତି ଶ୍ରୀ ଯୋଜନାଭାଗବତେ ଯୋଗାଣ ଯାନବାହାନ ସଂବାଦ କଥନେ

ନାମ ନବମ ଅଧ୍ୟାୟ ।

***

 

ଦଶମ ଅଧ୍ୟାୟ

 

ମିଶ୍ରଙ୍କ ଚଉପାଢ଼ୀଠାରେ

ଆଜି ସକଳେ ଠୁଳ ହେଲେ

।।

 

 

ମିଶ୍ରଙ୍କୁ ଜ୍ୱର ଅଛି ହୋଇ

ଟୁଙ୍ଗୀକୁ ଯିବା ବଳ ନାହିଁ

।।

 

 

ପୁରାଣ ପାଠ ଶେଷ କରି

ସାଧୁ ପଧାନ ଆଦି କରି

।।

 

 

ମିଶ୍ରଙ୍କୁ ଘେରିଣ ବସିଲେ

ଆଗେ କୁଶଳ ପୁଚ୍ଛାକଲେ

।।

 

 

ମିଶ୍ରେ କହନ୍ତି ଭାବ ନାହିଁ

ବସ ସକଳେ ଯିବ କାହିଁ

?

 

 

କହିବା ଯାହା ପଚାରିବ

ମନଟା ଆନମାନ ହେବ

।।

 

 

 

 

 

 

ପଧାନୋବାଚ

 

 

 

ପଚାରେ ତାହାଙ୍କୁ ପଧାନ

ହେ ମିଶ୍ରେ, କହ ଯାହା ଜାଣ

।।

 

 

ଭାରତେ ଗୃହର ଅଭାବ

କାହିଁକି ହେଉଛି କହିବ

।।

 

 

ଯେଉଁ ପ୍ରଦେଶେ ଶୁଣ ଯାଇଁ

କହନ୍ତି ଗୃହ ମିଳୁନାହିଁ

।।

 

 

କେଉଁ କାରଣୁ ହୁଏ ଏହା

ଯୋଜନା ଭାବଇ କି ତାହା

?

 

 

ମିଶ୍ରୋବାଚ

 

 

 

ମିଶ୍ରେ ହୋଇଣ ହସ ହସ

କହିଲେ ହେଉ ବସ ବସ

।।

 

 

 

 

କହିବା ଏଥିର କାରଣ

ଶୁଣ ସକଳେ ଦେଇ ମନ

।।

 

 

ଆଝୁଁ ତିରିଶ ବର୍ଷ ହେଲା

ଜନମ ବିସ୍ତର ବଢ଼ିଲା

।।

 

 

ଯେ ସ୍ଥାନେ ଥିଲେ ପାଞ୍ଚ ଜଣ

ପଚିଶ ଜଣେ ହେଲେ ପୂର୍ଣ୍ଣ

।।

 

 

ଘରର ଚାହିଦା ବଢ଼ିଲା

କ୍ରମଶଃ ଘର ନ ଅଣ୍ଟିଲା

।।

 

 

ଆହୁରି ଅଛଇ କାରଣ

ଗାଁଆ ଗହଳୁବହୁଜନ

।।

 

 

କେହୁ ଚାକିରି କେ ବେଉସା

ସୁବିଧା ଲାଭ କରି ଆଶା

।।

 

 

ଚାଲି ଆସନ୍ତି ସହରକୁ

ଭଲରେ ରହି ଚଳିବାକୁ

।।

 

 

ଘର ଅଭାବ ସହରରେ

ହୋଇଲା ତେଣୁ ଯୁକତରେ

।।

 

 

ହୋଇଲା ଅଭାବ ଆବର

ପଦାର୍ଥ ତୋଳିବାକୁ ଘର

।।

 

 

ଜିନିଷପତ୍ର ନ ମିଳନ୍ତେ

ଘର ତୋଳିବେ କେଉଁମନ୍ତେ

?

 

 

ନୂଆ ଘର ତ ତୋଳା ନାହିଁ

ଘର ଅଭାବ ଏଥିପାଇଁ

।।

 

 

ଯେମନ୍ତେ ଗତ ଯୁଦ୍ଧ ହେଲା

ସମସ୍ତ ଅଭାବ ପଡ଼ିଲା

।।

 

 

ତା ପଛେ ଭାଗ ଭାଗ ହୋଇ

ଫାଟିଲା ଏ ଭାରତ ଭୂଇଁ

।।

 

 

ଆଶ୍ରୟ ଆଶାରେ ଅନେକ

ଭାରତେ ପହଞ୍ଚିଲେ ଲୋକ

।।

 

 

ତାଙ୍କର ବସବାସ ପାଇଁ

ଆଉ ବା ଅଛି ଘର କାହିଁ

।।

 

 

ତେଣୁ ହେ ଘରର ଅଭାବ

ବିଚାର ହେବ କି ନ ହେବ

।।

 

 

ଦେସୋବାଚ

 

 

 

ଯାହା ତ ହେବାର ହୋଇଛି

ତହିଁକି ପ୍ରତିକାର କିଛି

।।

 

 

କରୁଛନ୍ତି କି ସରକାର

ମିଶ୍ରେ ହୋ ! ବୟାନ ତା କର

।।

 

 

ବଢ଼ିତ ଚାଲିଛି ସଂସାର

ସୃଷ୍ଟି ରୋଧିବ ବଳ କାର

।।

 

 

ଲୋକେ ହେବାକୁ ଥଇଥାନ

ହେଉଛି କହ କି ବିଧାନ

?

 

 

 

 

ପଧାନଠାରୁ ଏହା ଶୁଣି

ମିଶ୍ରେ ଉତ୍ତର ଦେଲେ ପୁଣି

।।

 

 

ମିଶ୍ରୋବାଚ

 

 

 

ଶୁଣ ହୋ ପଧାନେ କହୁଛି

ତା ପ୍ରତିକାର ଯା’ ହେଉଛି

।।

 

 

ଦୁର୍ଭାଗ୍ୟ ହୋଇଲା ଏମନ୍ତ

ଭାରତ ହେଲା ଦ୍ୱିଖଣ୍ଡିତ

।।

 

 

ବହୁତ ପାକିସ୍ଥାନବାସୀ

ଆଶ୍ରୟପ୍ରାର୍ଥୀ ରୂପେ ଆସି

।।

 

 

ମିଳିଲେ ଭାରତବର୍ଷରେ

ଏ ଦେଶେ ଆଶ୍ରୟ ଆଶାରେ

।।

 

 

ସେମାନଙ୍କର ଥଇଥାନ

କରିବା ପାଇଁ କି ବିଧାନ

।।

 

 

 

 

ଆମ୍ଭ ଭାରତ ସରକାର

ବସାଇ ଗ୍ରାମ, ତୋଳି ଘର

।।

 

 

ଆଶ୍ରୟ ଦେଲେ ସ୍ଥାନେ ସ୍ଥାନେ

ସୁଖରେ ରହିଲେ ସେମାନେ

।।

 

 

ପଶ୍ଚିମ ପାକିସ୍ଥାନବାସୀ

ଭାରତେ ଯେତେ ଥିଲେ ଆସି

।।

 

 

ତାହାଙ୍କ ପାଇଁ ଲକ୍ଷେ ଘର

ତୋଳିଲେ ଆମ୍ଭ ସରକାର

।।

 

 

ପୂରୁବ ପାକିସ୍ଥାନ ଛାଡ଼ି

ଆସିଲେ ଯେ ଲୋକେ ବାହାରି

।।

 

 

ଦେଢ଼ ଲକ୍ଷେକ ଘର ତୋଳି

ରଖିଲେ ତାହାଙ୍କୁ ସମ୍ଭାଳି

।।

 

 

କେନ୍ଦ୍ର ପ୍ରଦେଶ ସରକାର

ଖରଚ କରିଲେ ବିସ୍ତର

।।

 

 

ବମ୍ବେ, ଉତ୍ତର ସରକାର

ତୋଳି ଅଛନ୍ତି ବହୁଘର

।।

 

 

ସ୍ଥାନୀୟ ଅଭାବ ହରଣ

କରିଛି ଏହି ଗୃହମାନ

।।

 

 

ଅଳପ ଆୟ କରୁଛନ୍ତି

ଏପରି ଅନେକ ଅଛନ୍ତି

।।

 

 

ଗୃହ ନିର୍ମାଣେ ନାହିଁ ଧନ

ଯୋଜନା କରିଛି ବିଧାନ

।।

 

 

ତାଙ୍କୁ ଯୋଗାଇଦେବ ଘର

କାର୍ଯ୍ୟେ ହେଲାଣି ଆଗଭର

।।

 

 

ଆହୁରି ଶ୍ରମିକଙ୍କ ପାଇଁ

ଗୃହ ନିର୍ମାଣ ହେଉଛଇ

।।

 

 

ଶିଳ୍ପ ବିକାଶ ଲାଗି ଘର

ନିର୍ମାଣ ହେଉଛି ଆବର

।।

 

 

ଏ ସଂସ୍ଥା ପାଇଁ ଋଣଦାନ

ଯୋଜନା କରିଛି ବିଧାନ

।।

 

 

ପଲ୍ଲୀର ମଙ୍ଗଳ ବିଧାନେ

ଯୋଜନା ରଖିଅଛି ଧ୍ୟାନେ

।।

 

 

ଉନ୍ନତ ହେବ ପଲ୍ଲୀ ଘର

ସାହାଯ୍ୟ ଦେବ ସରକାର

।।

 

 

ପ୍ରତି ପ୍ରଦେଶେ ଏ ବିଧାନ

ଚାଲୁହେଲାଣି ଦାସେ ଜାଣ

।।

 

 

ଜଳ ଯୋଗାଣ, ନିଷ୍କାସନ

ଗ୍ରାମ ମଧ୍ୟସ୍ଥ ପଥମାନ

।।

 

 

ପ୍ରଦେଶ ସରକାରମାନେ

ବିଚାର କରି ସ୍ଥାନେ ସ୍ଥାନେ

।।

 

 

ପ୍ରସ୍ତୁତ କରିବାର ପାଇଁ

ଯୋଜନା ବିଧାନେ ଲେଖଇ

।।

 

 

ଉନ୍ନତ ହେବ ଗ୍ରାମମାନ

ତହିଁକି ପାଣ୍ଠି ଅଛି ଭିନ୍ନ

।।

 

 

ଦାସୋବାଚ

 

 

 

ଦାସେ କହିଲେ ଭଲ ହେବ

ଗ୍ରାମବାସୀଙ୍କ ଦୁଃଖ ଯିବ

।।

 

 

କୃପା କରନ୍ତୁ ଭଗବାନ

ପୂରଣ ହେଉ ମନସ୍କାମ

।।

 

 

ତ୍ରିରଙ୍ଗ ବାନା ଉଡ଼ୁଥାଉ

କୀରତି ଯୁଗେ ଯୁଗେ ରହୁ

।।

 

 

ଆନନ୍ଦେ ହରିବୋଲ ଦେଇ

କର୍ମରେ ଲାଗିପଡ଼ ଭାଇ

।।

 

 

କର୍ମର ମୂଳେ ଏ ଜଗତ

ସାହା ହୋଇବେ ଜଗନ୍ନାଥ

।।

 

 

 

ଇତି ଶ୍ରୀ ଯୋଜନା ଭାଗବତେ ଗୃହ ନିର୍ମାଣ ବ୍ୟୟ ସମ୍ବାଦ କଥନେ

ନାମ ଦଶମ ଅଧ୍ୟାୟ ।

***

 

Unknown

ଏକାଦଶ ଅଧ୍ୟାୟ

 

ଅପର ଦିନ ସର୍ବେ ଆସି

ସଞ୍ଜବେଳରୁ ଗଲେ ବସି

।।

 

 

ମିଶ୍ରଙ୍କ ଘରଠାରେ ଯାଇ

ପଧାନ ସଙ୍ଖୋଳା ପୁଚ୍ଛଇ

।।

 

 

ଆସିବ ନାହିଁ କି ଭାଇନା

ପୁରାଣ ଶୁଣି ଯିବା କିନା

?

 

 

ମିଶ୍ରେ କହିଲେ ଆଜି ଭାଇ

ଅଧିକାରୀଙ୍କୁ ପଠିଆଇ

।।

 

 

ରହିଲି ଘରଠାରେ ମୋର

ଜାଣ ତ ଅସୁସ୍ଥ ଶରୀର

।।

 

 

ସକଳ ମୂଳେ ସ୍ୱାସ୍ଥ୍ୟ କଥା

ଅଧିକାରୀଏ କହିବେ ତା

।।

 

 

 

 

ସ୍ୱାସ୍ଥ୍ୟଟି ଅଟେ ବଡ଼ ଧନ

ତା ବିନେ ସବୁ ଅକାରଣ

।।

 

 

କି ହେବ ଧନ ଜନ ଥାଇ

ଶରୀର ଯେବେ ସୁସ୍ଥ ନାହିଁ

।।

 

 

କିଏ ବା ସେ ଧନ ଭୁଞ୍ଜିବ

କିଏ ସେ ସଉଖ୍ୟ ଭୋଗିବ

?

 

 

ଆଜି ସଭାରେ ଅଧିକାରୀ

କହିବେ ସକଳ ବିସ୍ତାରି

।।

 

 

ଯାଅ ଶୁଣିବ ଦେଇ ମନ

ଏଥକୁ ଯୋଜନା ବିଧାନ

।।

 

 

ଶୁଣି ପଧାନେ ଚଳିଗଲେ

ସଭାରେ ଯାଇ ପ୍ରବେଶିଲେ

।।

 

 

ଆସି ଅଛନ୍ତି ଅଧିକାରୀ

ସକଳେ ବସିଛନ୍ତି ଘେରି

।।

 

 

ଅଧିକାରୀଏ ତୋଷମନେ

କହନ୍ତି ଶୁଣ ଭାଇମାନେ

।।

 

 

ଅଧିକାରୀ ଉବାଚ

 

 

 

ପ୍ରଧାନ ଅଟଇଟି ଜଳ

ନିର୍ମଳ ଜଳ ସ୍ୱାସ୍ଥ୍ୟ ମୂଳ

।।

 

 

ତେଣୁ କେନ୍ଦ୍ରରୁ ମିଳେ ଋଣ

ହୋଇବ ଜଳର ଯୋଗାଣ

।।

 

 

ତଥାପି ଜନସାଧାରଣ

ଏହି ଉଦ୍ୟମେ ଦେଇ ମନ

।।

 

 

କରିବେ ଯେବେ ସହଯୋଗ

ସଫଳ ହୋଇବ ଉଦ୍‌ଯୋଗ

।।

 

 

ଧନ ବା ଶ୍ରମ ରୂପେ ଯେବେ

ଜନତା ସହାୟ ହୋଇବେ

।।

 

 

 

 

କାର୍ଯ୍ୟଟି ହୋଇବ ସୁଲଭ

କଳ୍ପଣା ଅଟଇ ଦୁର୍ଲ୍ଲଭ

।।

 

 

ଜାଣ ତ ମେଲେରିଆ ଜ୍ୱର

ଦେଶରେ ହେଉଛି ପ୍ରବଳ

।।

 

 

ହାଡ଼ ମାଉଁସ କରି ସାର

ଦେଶକୁ କରେ ଛାରଖାର

।।

 

 

ଏଣୁ ହେ ଆମ୍ଭ ସରକାର

ବିଚାରି କରିଛନ୍ତି ସ୍ଥିର

।।

 

 

ଗ୍ରାମ ସହର ଯେତେ ଥିବ

ଡ଼ି.ଡ଼ି.ଟି. ତହିଁ ସିଞ୍ଚାଯିବ

।।

 

 

କୁଇନାଇନ ବଣ୍ଟା ହେବ

ମାଲେରିଆର ଜଡ଼ ଯିବ

।।

 

 

ଶହେ ପଚିଶ ଗୋଟି ଦଳ

ଘେନି ପ୍ରଦେଶ ସରକାର

।।

 

 

ଏ କର୍ମ ଆରମ୍ଭ କରିବେ

କେନ୍ଦ୍ର ସର୍କାର ଦୃଷ୍ଟି ଦେବେ

।।

 

 

ଡ଼ି.ଡ଼ି.ଟି. ଉତ୍ପାଦନ ପାଇଁ

ସର୍କାର ବ୍ୟବସ୍ଥା କରଇ

।।

 

 

ସୁଲଭ ଦରରେ ମିଳିବ

ଶୀଘ୍ର ଏ କଥା ସମ୍ଭବିବ

।।

 

 

ପ୍ରଦେଶ ସରକାରମାନ

ଦେବେଟି ପାଞ୍ଚକୋଟି ଧନ

।।

 

 

ଊଦ୍‌ବୃତ୍ତ କେନ୍ଦ୍ର ସରକାର

ଯୋଗାଇ ଦେବା ଅଟେ ସ୍ଥିର

।।

 

 

ପଧାନୋବାଚ

 

 

 

ଆନନ୍ଦେ ପଧାନ କହଇ

ଏ ସବୁ କଥା ଶୁଣିଲଇଁ

।।

 

 

 

 

ଏବେ ହୋ ଦେଖ ଅଧିକାରୀ

ଯକ୍ଷ୍ମା ତ ବଢ଼ିଗଲା ଭାରି

।।

 

 

ବରଷ ପ୍ରତି ପାଞ୍ଚଲକ୍ଷ

ଏ ରୋଗେ ମରନ୍ତି ପ୍ରତ୍ୟକ୍ଷ

।।

 

 

ତହିଁ କି କେଉଁ ପ୍ରତିକାର

ଯୋଜନା କରିଛି ବିଚାର

।।

 

 

ଅଧିକାରୀ ଉବାଚ

 

 

 

ଉତ୍ତରେ ଅଧିକାରୀ ଭାଇ

କହନ୍ତି ପଧାନେ ବୁଝାଇ

।।

 

 

ବି.ସି.ଜି. ଟିକାଟି ପ୍ରଧାନ

ଏ ରୋଗ ପ୍ରତିକାର ଜାଣ

।।

 

 

ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସଂସ୍ଥା

କରିଛି ସାହାଯ୍ୟ ବ୍ୟବସ୍ଥା

।।

 

 

 

 

ପନ୍ଦର କୋଡ଼ିଏ ବର୍ଷରେ

ମରଣ ଊଣା ହୋଇପାରେ

।।

 

 

ସେ ଭଳି ପ୍ରଚେଷ୍ଟା ଚାଲିଛି

ଭାବନା କର ନାହିଁ କିଛି

।।

 

 

ପାଞ୍ଚ ଲକ୍ଷରୁ ହୋଇ ଊଣା

ରହିବ ଲକ୍ଷରେ ଗଣନା

।।

 

 

ସେପରି ଚାଲିଛି ଉଦ୍ୟମ

ଆରମ୍ଭ ହୋଇଲାଣି କାମ

।।

 

 

ନୂଆ ଡାକ୍ତରଖାନାମାନ

ଖୋଲିବା ହେଉଛି ଭିଆଣ

।।

 

 

ସ୍ୱତନ୍ତ୍ର ଏହି ରୋଗ ପାଇଁ

ବହୁ ଉଦ୍ୟମ ଅଛି ହୋଇ

।।

 

 

ଦିଲ୍ଲୀ, ପାଟଣା ସହରରେ

ଆହୁରି ତ୍ରବିନ୍ଦ୍ରମଠାରେ

।।

 

 

ଯକ୍ଷ୍ମା-ନିବାରୀ ତତ୍ତ୍ୱ ଘେନି

ଏ ତିନି ସ୍ଥାନେ କେନ୍ଦ୍ର ତିନି

।।

 

 

ଖୋଲା ହୋଇଛି ଏବେ ଭାଇ

ଯକ୍ଷ୍ମାର ସୁଚିକିତ୍ସା ପାଇଁ

।।

 

 

ତହିଁ ଡାକ୍ତର ଛାତ୍ରଗଣ

ହେବେ ଶିକ୍ଷାରେ ସୁନିପୁଣ

।।

 

 

ବିଶେଷ ଶିକ୍ଷା ଲାଭ କରି

ସେବାରେ ଲାଗିବେ ସବୁରି

।।

 

 

ପଧାନୋବାଚ

 

 

 

ପୁଣି ପଧାନ ପଚାରୁଛି

ଲୋକସଂଖ୍ୟା ତ ବଢ଼ୁ ଅଛି

।।

 

 

ରୋଗୀଙ୍କୁ ଚାହିଁ ଚିକିତ୍ସକ

ଦେଶରେ ନାହାନ୍ତି ଅଧିକ

।।

 

 

 

 

ଚିକିତ୍ସାଳୟର ଅଭାବ

ଏଥକୁ କହ କିସ ହେବ

?

 

 

ବ୍ୟବସ୍ଥା କିଛି ଏଥିପାଇଁ

ଯୋଜନା ଭାଳିଛି କି ନାହିଁ

?

 

 

ଅଧିକାରୀ ଉବାଚ

 

 

 

ଶୁଣି କହିଲେ ଅଧିକାରୀ

ତାଲିମ କେନ୍ଦ୍ରମାନ କରି

।।

 

 

ଚାଲିବ ଶିକ୍ଷାର ବ୍ୟବସ୍ଥା

ହୋଇଛି ଏହିପରି କଥା

।।

 

 

ଆହୁରି କେନ୍ଦ୍ର ସରକାର

ବିଚାରେ କରିଛନ୍ତି ସ୍ଥିର

।।

 

 

ଡାକ୍ତରି ଶିକ୍ଷା ଅନୁଷ୍ଠାନ

ଗୋଟିଏ ଖୋଲିବେ ବହନ

।।

 

 

 

 

ଚିକିତ୍ସା ଶିକ୍ଷା ଦିଆଯିବ

ଗବେଷଣାହିଁ ତହିଁ ହେବ

।।

 

 

ପୁଣି ପ୍ରଦେଶ ସରକାର

ହୋଇ ଏ ଦିଗେ ଅଗ୍ରସର

।।

 

 

ନୂଆ କଲେଜ ବସାଇବେ

ଥିବା କଲେଜ ବଢ଼ାଇବେ

।।

 

 

ଅଧିକ ଛାତ୍ର ପଢ଼ାଇବେ

ଉତ୍ତମ ତାଲିମ ପାଇବେ

।।

 

 

କେନ୍ଦ୍ର ପ୍ରଦେଶ ସରକାର

କରି ଅଛନ୍ତି ଏ ବିଚାର

।।

 

 

ଫଳରେ ବଢ଼ିବେ ଡାକ୍ତର

ବଢ଼ିବେ କମ୍‌ପାଉଣ୍ଡର

।।

 

 

ବଢ଼ିବ ଚିକିତ୍ସା ନିଳୟ

ସର୍କାରୀ ଔଷଧ ଆଳୟ

।।

 

 

ଏ ବାବଦରେ ବହୁଧନ

ଯୋଜନା କରିଛି ବିଧାନ

।।

 

 

ଦାସୋବାଚ

 

 

 

ଦାସେ କହିଲେ ଏ ତ ହେବ

ଦେଶୀ ଚିକିତ୍ସା କାହିଁ ଯିବ

?

 

 

ଦେଶୀୟ ଔଷଧ ପ୍ରଚାର

ନୁହେଁ କି କର୍ତ୍ତବ୍ୟ ଦେଶର?

 

 

 

ଦେଶୀୟ ବୈଦ୍ୟ କବିରାଜ

ବିଲୟ ଭଜୁଛନ୍ତି ଆଜ

।।

 

 

ତାଙ୍କର ଶିକ୍ଷା ଲାଭ ପାଇଁ

ଯୋଜନା କିସ ବିଚାରଇ

?

 

 

ସେ କଥା କିଛି ଶୁଣାନାହିଁ

ଜାଣିଛ ଯେବେ କହ ଭାଇ

।।

 

 

 

 

 

 

ଅଧିକାରୀ ଉବାଚ

 

 

 

କହିଲେ ଅଧିକାରୀ ହସି

ଭଲତ ମନେ କଲ ଆସି

।।

 

 

କଥାଟା ଯାଉଥିଲି ଭୁଲି

କହିଲ ତୁମ୍ଭେ ଥିଲ ବୋଲି

।।

 

 

ଶୁଣ ହୋ ଯାହା ପଚାରିଲ

ଦେଶୀୟ କଥା ତ ଅସଲ

।।

 

 

ଜାମନଗରେ ସରକାର

ଗୋଟିଏ ଗବେଷଣାଗାର

।।

 

 

ବିଚାରି, ଅଛନ୍ତି ବସାଇ

କବିରାଜଙ୍କ ଶିକ୍ଷା ପାଇଁ

।।

 

 

ଔଷଧାଳୟ ନାନା ସ୍ଥାନେ

ଦେଶୀୟ ଚିକିତ୍ସା ପ୍ରମାଣେ

।।

 

 

ବସିବ ବୋଲି ବହୁ ଧନ

ରହିଛି ଯୋଜନା ବିଧାନ

।।

 

 

ବହୁ ଦେଶୀୟ ଚେରମୂଳ

ଯେତେକ ଔଷଧର ମୂଳ

।।

 

 

ତହିଁର ଗବେଷଣା ପାଇଁ

ବିଧାନମାନ ଅଛି ହୋଇ

।।

 

 

କାଶ୍ମୀର ଉତ୍ତର ପ୍ରଦେଶ

ଉଦ୍ୟମ କରନ୍ତି ବିଶେଷ

।।

 

 

ପ୍ରଧାନ ଔଷଧ ଯେ ମାନ

କରିବା ପାଇଁ ଉତପନ୍ନ

।।

 

 

ପେନିସିଲିନ୍ କାରଖାନା

ଯୋଗାଡ଼ି ଅଛି ଏ ଯୋଜନା

।।

 

 

ଡ଼ି. ଡ଼ି. ଟି. ଉତପନ୍ନ ପାଇଁ

ଆହୁରି କାରଖାନା ଦୁଇ

।।

 

 

ଚେଷ୍ଟା କରନ୍ତି ସରକାର

ବସିବ ଶୀଘ୍ର ଏ ଦେଶର

।।

 

 

ବିଭିନ୍ନ ଔଷଧ ଉତ୍ପନ୍ନ

ପାଇଁକି ହେଉଛି ଯତନ

।।

 

 

ପଧାନୋବାଚ

 

 

 

ଆହୁରି ଶୁଣା ଯାଉ ଅଛି

ନିତି ମୁଁ ପାଶୋରି ଯାଉଛି

।।

 

 

ସନ୍ଦେହ ଫେଡ଼ିବି ପଚାରି

କହିବ ଦେଖି ଅଧିକାରୀ

।।

 

 

ଜନମ ନିୟନ୍ତ୍ରଣ ପାଇଁ

ବିଚାର ପଡ଼େ କାହିଁ ପାଇଁ

?

 

 

ଅଧିକାରୀ ଉବାଚ

 

 

 

କହିଲେ ତହୁଁ ଅଧିକାରୀ

ପଧାନେ ଯା ଅଛ ବିଚାରି

।।

 

 

ଶୁଣ ମୁଁ ସେ କଥା କହୁଛି

ଲୋକସଂଖ୍ୟା ତ ବଢ଼ୁଅଛି

।।

 

 

ଫଳରେ କି ହେଉଛି ଜାଣ

ବଢ଼ୁଛି ଲୋକଙ୍କ ମରଣ

।।

 

 

ଊଣା ହେଉଛି ଆୟୁମାନ

ଜୀଇବା ସଂଖ୍ୟା ହୁଏ ହୀନ

।।

 

 

ତ୍ରିଂଶ ଚାଳିଶ ବର୍ଷ ଆଗେ

ଜନ୍ମ ମରଣ ବେନି ଭାଗେ

।।

 

 

ପ୍ରାୟ ସମାନ ଥିଲା ଭାଇ

ଏବେ ସେ କଥା ଆଉ ନାହିଁ

।।

 

 

ଡାକ୍ତରୀ ଚିକିତ୍ସାରେ ଜାଣ

କମିଛି ମୃତ୍ୟୁ ପରିମାଣ

।।

 

 

ଜନ୍ମରେ ନ ବଦଳି କିଛି

ଯେତିକି ସେତିକିରେ ଅଛି

।।

 

 

ଭୂମି ତ ଆଉ ନ ବଢ଼ଇ

ଅଳପ ବହୁତ ନୁହଇ

।।

 

 

ବହୁତ ଲୋକ ଅଳ୍ପ ଭୂଇଁ

ଅଭାବ ତେଣୁ ଛାଡ଼ୁନାହିଁ

।।

 

 

କଥାଏ କହୁଛି ଆହୁରି

ଭାବିବା ଉଚିତ ସବୁରି

।।

 

 

ଗ୍ରାମେ, ସହରେ ଦେଖଯାଇ

ବହୁ ପ୍ରସବ-ବତୀ ହୋଇ

।।

 

 

ଦୁର୍ଲ୍ଲଭ ସ୍ୱାସ୍ଥ୍ୟକୁ ହରାଇ

ଯୁବତୀ ବୃଦ୍ଧା ପାଲଟଇ

।।

 

 

ବହୁ ପ୍ରସବବତୀ ମାତା

ସଂସାର ମଣେ ବିଷପିତା

।।

 

 

ଜୀବନ ତାର ନାରଖାର

ଦେଖୁଛ ଦେଶର ବେଭାର

।।

 

 

ତୁମ୍ଭେ ତ ଅଟ ହେ ସଂସାରୀ

ଦେଖିଲ ଏ କଥା ବିଚାରି

।।

 

 

ଜନ୍ମର ନିରୋଧ ନୋହିଲେ

ସଂସାର ସରିଯିବ ହେଳେ

।।

 

 

ପୁଣି କଥାଏ କହିବଇଁ

ବିଚାର କର ଦେଶଭାଇ

।।

 

 

ବହୁ ସନ୍ତାନ ଜନ୍ମ ହୋଇ

ବିହିତ ଯତନ ନ ପାଇ

।।

 

 

ଉତ୍ତମ ଲୋକ ନ ହୋଇବେ

ସଂସାରେ ଗଳଗ୍ରହ ହେବେ

।।

 

 

ଏଥକୁ ଜନ୍ମ ନିୟନ୍ତ୍ରଣ

ହୋଇବ ହିତର କାରଣ

।।

 

 

ଏ ଘେନି ଶିକ୍ଷା ପ୍ରସାରଣ

ଯୋଜନା କରିଛି ଗ୍ରହଣ

।।

 

 

ଲାଗିଛି ନାନା ଗବେଷଣା

ହେବ କିପରି ଜନ୍ମ ଊଣା

।।

 

 

ହୋଇବ ଜନ ଉପକାର

ଲାଗି ପଡ଼ିଛି ସରକାର

।।

 

 

ସ୍ୱାସ୍ଥ୍ୟର ଏସବୁ ବିଧାନ

କହିଲି ଭାଇ ମନେ ଘେନ

।।

 

 

ସବୁ କଥାକୁ ଏକା ସାହା

ହେବ କାଳିଆ ଚଉବାହା

।।

 

 

କାମନା ହୋଇବ ସଫଳ

ଆନନ୍ଦେ ହରି ହରି ବୋଲ

।।

 

ଇତି ଶ୍ରୀ ଯୋଜନା ଭାଗବତେ ସ୍ୱାସ୍ଥ୍ୟ ବିଧାନ ବର୍ଣ୍ଣନେ

ନାମ ଏକାଦଶ ଅଧ୍ୟାୟ ।

***

 

ଦ୍ୱାଦଶ ଅଧ୍ୟାୟ

 

ପ୍ରଧାନୋବାଚ

 

 

 

ପଧାନେ କହନ୍ତି ହେ ଭାଇ

ସକଳ ତତ୍ତ୍ୱ ଶୁଣିଲଇଁ

।।

 

 

ସବୁ ଆମ୍ଭରି ହିତେ ଜାଣ

ଯୋଜନା କରୁଛି ଭିଆଣ

।।

 

 

ପାଞ୍ଚ ବରଷ ମଧ୍ୟେ ସତେ

ଚାହିଁବେ ପ୍ରଭୁ ଜଗନ୍ନାଥେ

।।

 

 

ଯୋଜନା ସଫଳ ହୋଇବ

ଆମ୍ଭର ଦୁଃଖକଷ୍ଟ ଯିବ

।।

 

 

ଶିକ୍ଷା ପ୍ରସାର ହେବାପାଇଁ

କି ପନ୍ଥା ଶୁଣିଲେଁ ତ ନାହିଁ

।।

 

 

ଶିକ୍ଷା ବିହିନେ ଧନ ଥାଇ

କି ହେବ ଫଳ କହ ଭାଇ

?

 

 

ଶିକ୍ଷା ତ ଦେଶ ମେରୁଦଣ୍ଡ

ଅଶିକ୍ଷା ଦୋଷେ ସବୁ ପଣ୍ଡ

।।

 

 

ଶିକ୍ଷାର ଉନ୍ନତି ବିଧାନେ

କି ଅଛି ସରକାର ମନେ

।।

 

 

ସେ କଥା କହିବ ବୁଝାଇ

ନନା ହୋ, ଦୋଷ ଧର ନାହିଁ

।।

 

 

ମିଶ୍ରୋବାଚ

 

 

 

ମିଶ୍ରେ କହିଲେ ହସି କରି

ଅଶିକ୍ଷିତଟି ପଶୁ ସରି

।।

 

 

ଶିକ୍ଷିତ ନୋହିଲେ ବହୁତ

ସରିବ ଦେଶର ମହତ

।।

 

 

ଶିକ୍ଷା ଉନ୍ନତି ଲାଗି ଧନ

ପ୍ରଭୂତ ହୋଇଛି ବିଧାନ

।।

 

 

ପ୍ରଦେଶେସରକାର ଗଣ

ବ୍ୟୟ କରନ୍ତି ଯେଉଁ ଧନ

।।

 

 

ତହିଁ ବାହାରେ ଏଥିପାଇଁ

ଯୋଜନା ସାହାଯ୍ୟ ଦିଅଇ

।।

 

 

ବର୍ଷକୁ ବର୍ଷ ଶିକ୍ଷା ସଂସ୍ଥା

ବଢ଼ି ଚାଲିଛି ଏ ବ୍ୟବସ୍ଥା

।।

 

 

ତଥାପି ଶିକ୍ଷା ସଂବିଧାନ

ଲୋଡ଼ଇ ଗୁରୁତର ଧ୍ୟାନ

।।

 

 

ଏକା ଏ ଦେଶ ସରକାର

ତୁଲାଇବାକୁ ବ୍ୟୟଭାର

।।

 

 

ସମର୍ଥ ନ ହୋଇବେ ଭାଇ

ସବୁରି ସହଯୋଗ ଚାହିଁ

।।

 

 

ଅର୍ଥ ଅଥବା ଭୂମି ଦେଇ

କି ଅବା ଶିକ୍ଷାଳୟ ପାଇଁ

।।

 

 

ଗୃହ ନିର୍ମାଣ ଦେଲେ କରି

ମଙ୍ଗଳ ହୋଇବ ସବୁରି

।।

 

 

ସକ୍ରିୟ ସହଯୋଗ କଲେ

ଶିକ୍ଷା ଉନ୍ନତ ହେବ ବଳେ

।।

 

 

ପ୍ରଧାନୋବାଚ

 

 

 

ପଧାନ ପୁଣି ପଚାରଇ

କି କି ବିଧାନ ଅଛି ହୋଇ

।।

 

 

ଶିକ୍ଷା ନୋହିଲେ ବାଳକାଳେ

ସିଦ୍ଧ ନ ହୁଏ କାଳେ କାଳେ

।।

 

 

ଏଣୁ ହେ ବାଲ୍ୟଶିକ୍ଷା ପାଇଁ

ଯୋଜନା କିସ ବିଚାରଇ

?

 

 

ଜାଣିଲେ ତୃପ୍ତ ହେବ ମନ

ଶିକ୍ଷାଦାନର କି ବିଧାନ

।।

 

 

 

 

 

 

ମିଶ୍ରୋବାଚ

 

 

 

କହନ୍ତି ମିଶ୍ରେ ଶୁଣ ତେବେ

ସେ କଥା କହୁଥାଇଁ ଏବେ

।।

 

 

ଛଅରୁ ବୟସ ଏଗାର

ପିଲାଙ୍କ ପାଇଁ ସରକାର

।।

 

 

କରି ଅଛନ୍ତି ଏବେ ଥୟ

ବହୁ ସ୍ଥଳରେ ଶିକ୍ଷାଳୟ

।।

 

 

ଉଣିଶି ଶହ ଏକାବନ

ସାଲରେ ଥିଲାଟି ବିଧାନ

।।

 

 

ଶହକେ ପ୍ରାୟ ଚୌରାଳିଶି

ଅଥବା ଆଉ ପାଞ୍ଚ ବେଶି

।।

 

 

ଶିକ୍ଷାର୍ଥୀ ପଢ଼ୁଥିଲେ ତହିଁ

ଏ କଥା ଆଉ ଆଜି ନାହିଁ

।।

 

 

ଷାଠିଏ ଭାଗ ଶତକରା

ପଢ଼ିବେ ହୋଇଅଛି ଧାରା

।।

 

 

ଏଗାର ବରଷୁଁଯାହାର

ବୟସ ଅଟଇ ସତର

।।

 

 

ସେ ଭଳି ପଢ଼ୁଆଙ୍କ ପାଇଁ

ଖୋଲୁଛି ହାଇସ୍କୁଲ ଭାଇ

।।

 

 

ଅଧିକ ଇସ୍କୁଲ ବସିବ

ଶିକ୍ଷାର ଉନ୍ନତି ହୋଇବ

।।

 

 

ଏଗାର ଭାଗ ଥିଲା ଯାହା

ପନ୍ଦର ଭାଗ ହେବ ତାହା

।।

 

 

ପାଞ୍ଚ ବରଷ ଯୋଜନାର

ଶେଷକୁ ଏହି ଆଶା କର

।।

 

 

ସମାଜ ଗଠନ ବିଧାନ

ଶିକ୍ଷା ଲଭିବେ ବହୁଜନ

।।

 

 

ଚଉଦବରଷିଆ ଯେତେ

ପୁଣି ଚାଳିଶ ପରିଯନ୍ତେ

।।

 

 

ଏଭଳି ଶିକ୍ଷା ଲାଭ ପାଇଁ

ତାଙ୍କରି ଯୋଗ୍ୟତା ଅଟଇ

।।

 

 

ତିରିଶ ଭାଗ ଶତକରା

ଶିକ୍ଷିତ ହେବେ ଏହାଦ୍ୱାରା

।।

 

 

ପୁଣିହିଁ ବିଶ୍ୱବିଦ୍ୟାଳୟ

ଶିକ୍ଷା ବର୍ଦ୍ଧନେ ଅଛି ଲୟ

।।

 

 

ପଧାନୋବାଚ

 

 

 

ଶୁଣ ହୋ ମିଶ୍ରେ ପଚାରୁଛି

ଲୋକରେ ଯାହା ମୁଁ ଶୁଣୁଛି

।।

 

 

ଯେ ଶିକ୍ଷା ପ୍ରଚାର ହେଉଛି

ତହିଁରେ ବହୁ ଦୋଷ ଅଛି

।।

 

 

 

 

ପରିବର୍ତ୍ତନ ପାଇଁ ଏହା

ବିଧାନ କିସ କହ ତାହା

।।

 

 

ପଧାନ ଏହା ପଚାରନ୍ତେ

ମିଶ୍ରେ କହିଲେ ଶୁଣ ଏତେ

।।

 

 

ଯାହା କହିଲ ହେ ପଧାନ

ତହିଁକି ହେଉଛି ବିଧାନ

।।

 

 

ବହି ପଢ଼ାକୁ ମୁଖ୍ୟକରି

ପିଲାଏ ଦେଲେ ଶିକ୍ଷାସାରି

।।

 

 

ତାଙ୍କର ସାଧାରଣ ଜ୍ଞାନ

କେବେହେଁ ନୋହିବ ସମ୍ପୂର୍ଣ୍ଣ

।।

 

 

ଏଣୁ ପଠନ ଶେଷକରି

ଚଳିବେ କିଛି ବୃତ୍ତି ଧରି

।।

 

 

ତହିଁକି ହୁଅନ୍ତି ଅମଙ୍ଗ

ଏହା ତ ଏବେ ଦେଶ ଢଙ୍ଗ

।।

 

 

ପ୍ରେରଣା ମଧ୍ୟ ରହୁନାହିଁ

ନୂତନ ଉଦ୍‌ଭାବନ ପାଇଁ

।।

 

 

ଏପରି କାର୍ଯ୍ୟ ହେଲେ ଭାଇ

ଦେଶ ଉନ୍ନତି ଆଶା କାହିଁ

।।

 

 

ଏଥକୁ ଦେଶ ସରକାର

ମନରେ କରିଛନ୍ତି ସ୍ଥିର

।।

 

 

ଆଉ ଅପର ପ୍ରାଇମେରୀ

ଶିକ୍ଷା ନ ରହି ଆଗପରି

।।

 

 

ବେସିକ ବିଦ୍ୟାଳୟ ହେବ

ବିବିଧ ଶିକ୍ଷା ଦିଆଯିବ

।।

 

 

ଯେ ଯାହା ବୃତ୍ତିକୁ ଅନାଇ

ଶିକ୍ଷା ଲଭିବେ ସର୍ବେ ତହିଁ

।।

 

 

ଆଜି ତ ପାଠ ପଢ଼ି ସାରି

ସକଳେ ଖୋଜିଲେ ଚାକିରୀ

।।

 

 

ଦେହ ଖଟିବା କାର୍ଯ୍ୟହେଲେ

ନାକଟି ସରବେ ଟେକିଲେ

।।

 

 

ଶରୀର ଶ୍ରମ ତେଣୁ କରି

ବାଧ୍ୟତାମୂଳକରେ ଧରି

।।

 

 

ବେସିକ ଶିକ୍ଷାନୀତି ହେବ

ମନରୁ ଘୃଣା ବଳେ ଯିବ

।।

 

 

ବେସିକ ଶିକ୍ଷା ଅନୁସାରେ

କଳ୍ପନା ହୁଏ ଏ ପ୍ରକାରେ

।।

 

 

ପଲ୍ଲୀର ବିଶ୍ୱବିଦ୍ୟାଳୟ

ଗଢ଼ିବା ହୋଇଅଛି ଥୟ

।।

 

 

ଯୁବକମାନେ ଠାବେ ଠାବେ

ଶ୍ରମିକ ଶିବିର ସ୍ଥାପିବେ

।।

 

 

ଏଥି ସକାଶେ ଧନ ବ୍ୟୟ

ହେବାର ହୋଇଛି ନିଶ୍ଚୟ

।।

 

 

ଅଠର ବର୍ଷରୁ ବାଇଶ

ଅଟଇ ଯାହାଙ୍କ ବୟସ

।।

 

 

ପରିଶ୍ରମକୁ ବାଧ୍ୟ ହେବେ

ଛ’ମାସ ଶିକ୍ଷା ସେ ଲଭିବେ

।।

 

 

ଏକ ବରଷ ପରିଯନ୍ତ

ଏହି ଶିକ୍ଷାର ଅଛି ଅନ୍ତ

।।

 

 

କ୍ରମେ ଏ ଶିକ୍ଷା ବୃଦ୍ଧିହେବ

ସକଳ ଛାତ୍ରେ ପ୍ରବର୍ତ୍ତିବ

।।

 

 

ଯେ ପ୍ରାନ୍ତେ ଶିକ୍ଷାର ଅଭାବ

ଗୁରୁତ୍ୱ ତହିଁ ଲକ୍ଷ୍ୟ ହେବ

।।

 

 

ବିଭିନ୍ନ ଶ୍ରେଣୀ ଦେଶେ ପୁଣି

ଶିକ୍ଷାର ତାରତମ୍ୟ ଜାଣି

।।

 

 

ଯୋଜନା କମିଶନ ଭାଳି

ଆସନ୍ତି ଏହା ସ୍ଥିର କରି

।।

 

 

ଅଧିକ ସାହାଯ୍ୟ ସେ ଦେବେ

ଅନେକେ ଶିକ୍ଷିତ ହୋଇବେ

।।

 

 

ପଲ୍ଲୀଗ୍ରାମରେ ଶିକ୍ଷା ପାଇଁ

ବିଶେଷେ ବିଚାର ପଡ଼ଇ

।।

 

 

କୁମ୍ଭାର, ବଢ଼ାଇ, କମାର

ଏ ଆଦି ଯେତେ କାରିଗର

।।

 

 

ନିଜର ବୃତ୍ତି ବିଷୟରେ

ଶିକ୍ଷା ପାଇବେ ସ୍ୱଚ୍ଛନ୍ଦରେ

।।

 

 

ତାଲିମ କେନ୍ଦ୍ର ଠାବେ ଠାବେ

ଏ ଭଳି ବୃତ୍ତି ଶିକ୍ଷା ଦେବେ

।।

 

 

ପୁଣି ମହିଳାମାନଙ୍କର

ଶିକ୍ଷାର ହୋଇବ ପ୍ରସାର

।।

 

 

ସାରିବେ ପ୍ରାଥମିକ ଶିକ୍ଷା

ଏକତ୍ରେ ବାଳକ ବାଳିକା

।।

 

 

ହାଇସ୍କୁଲର ଶିକ୍ଷା ବେଳେ

ସେ ଭଳି ଆବଶ୍ୟକ ହେଲେ

।।

 

 

ସ୍ୱତନ୍ତ୍ର ବିଦ୍ୟାଳୟ ହେବ

ଝିଅଙ୍କୁ ଶିକ୍ଷା ଦିଆଯିବ

।।

 

 

ଆବର ଝିଅମାନେ ଘରେ

ପଢ଼ି ପରୀକ୍ଷା ଦେବେ ଭଲେ

।।

 

 

ପଧାନୋବାଚ

 

 

 

ପୁଣି ପଧାନ ପଚାରଇ

ଶୁଣିଲୁଁ ଯାହା ଗଲ କହି

।।

 

 

ବେସିକ ଆଉ ସାଧାରଣ

ଶିକ୍ଷାର ଯୋଗ ସମାଧାନ

।।

 

 

କିପରି ମିଶ୍ରେ ହେବ କହ

?

ମନରେ ରହିଲା ସନ୍ଦେହ

।।

 

 

 

 

 

 

ମିଶ୍ରୋବାଚ

 

 

 

ମିଶ୍ରେ କହିଲେ ଏଥିପାଇଁ

ଯୋଜନା ଅଛି ସ୍ଥିର ହୋଇ

।।

 

 

ବେସିକ ଶିକ୍ଷାର ବିଧାନ

ହୋଇବ ଏବେ ପ୍ରଚଳନ

।।

 

 

ଏଣିକି ଆଉ ପ୍ରାଇମେରୀ

ଶିକ୍ଷା ଆଳୟ ପୂର୍ବ ପରି

।।

 

 

ଖୋଲା ନୋହିବା ହେଲା ସ୍ଥିର

ଏହାଟି ଯୋଜନା ବିଚାର

।।

 

 

ଯେତେକ ପ୍ରାଇମେରୀ ସ୍କୁଲ

ବେସିକ ଶିକ୍ଷା ଦେବା ମୂଳ

।।

 

 

ଯେ ଅଛି ଉଚ୍ଚବିଦ୍ୟାଳୟ

ଯୋଜନା କରିଅଛି ଥୟ

।।

 

 

ପରିବର୍ତ୍ତନ ଅଣାଯିବ

ବେସିକ ଶିକ୍ଷା ପ୍ରବର୍ତ୍ତିବ

।।

 

 

ପଲ୍ଲୀର ବିଶ୍ୱବିଦ୍ୟାଳୟ

ଖୋଲିବ ଗୋଟିଏ ନିଶ୍ଚୟ

।।

 

 

ତହିଁରେ ଶିକ୍ଷିତ ଯେ ହେବେ

ଅଥବା ଉପାଧି ଲଭିବେ

।।

 

 

ଯେ ବିଶ୍ୱବିଦ୍ୟାଳୟ ଅଛି

ପ୍ରଭେଦ ତହିଁ ନୋହି କିଛି

।।

 

 

ଯୋଗ୍ୟତା ହୋଇବ ସମାନ

କେହି ନୋହିବେ ବଡ଼ସାନ

।।

 

 

ଯେ ସବୁ ଶିକ୍ଷକ ଅଛନ୍ତି

ଅଳ୍ପ ବେତନ ସେ ଭୋଗନ୍ତି

।।

 

 

ଏଣୁ ବେତନ ବୃଦ୍ଧି ପାଇଁ

ବ୍ୟବସ୍ଥା ପୁଣି ଅଛି ହୋଇ

।।

 

 

ଅନ୍ୟାନ୍ୟ ଚାକିରୀ ସମାନ

ଶିକ୍ଷକେ ଲଭିବେ ସମ୍ମାନ

।।

 

 

ଯୋଜନା ମତ ଦେଇଛନ୍ତି

ତାଙ୍କ ସନ୍ତାନ ଯେ ଅଛନ୍ତି

।।

 

 

ଶିକ୍ଷା ଲଭିବେ ବିନା ବ୍ୟୟେ

ଯୋଜନା ଆଉ ପୁଣି କହେ

।।

 

 

ଗ୍ରାମେ ଯେ ଶିକ୍ଷକେ ଅଛନ୍ତି

ଦେବାକୁ ତାଙ୍କୁ ଭୂସଂପତ୍ତି

।।

 

 

ଯହିଁରୁ କରି ଉତ୍ପାଦନ

ସୁଖରେ କାଟିବେ ସେ ଦିନ

।।

 

 

ସନ୍ଧ୍ୟାର ଅବସର କାଳେ

ସମାଜ ଶିକ୍ଷାର ପ୍ରସାରେ

।।

 

 

ଅନ୍ୟମାନଙ୍କୁ ପଢ଼ାଇବେ

ଅଧିକା ବେତନ ପାଇବେ

।।

 

 

ପଧାନୋବାଚ

 

 

 

ପଧାନ ପୁଣି ପଚାରୁଛି

ବୁଝିତ ନ ପାରିଲି କିଛି

।।

 

 

ସମାଜ ଶିକ୍ଷା ବୋଲି ଯାହା

କହିଲେ ମିଶ୍ର କିସ ତାହା

?

 

 

କାହିଁକି ତହିଁ ପାଇଁ ଧ୍ୟାନ

ଦେଇ ଅଛନ୍ତି କମିଶନ

।।

 

 

ମିଶ୍ରୋବାଚ

 

 

 

ମିଶ୍ରେ କହନ୍ତି ଶୁଣ ବାବୁ

ବୁଝାଇ କହୁଛି ମୁଁ ସବୁ

।।

 

 

ଅକ୍ଷର ମାତ୍ରକ ଚିହ୍ନିଲେ

କି ଫଳ ହୋଇବ ତହିଁରେ

?

 

 

ଦେଶର ଭଲ ମନ୍ଦ ଯାହା

ଜାଣି ତ ନ ପାରିବେ ତାହା

।।

 

 

ଦେଶ କାଳର ଗତି ରୀତି

ସ୍ୱାସ୍ଥ୍ୟ ସମ୍ପଦ ଅର୍ଥନୀତି

।।

 

 

ଏଥିରେ ହୋଇବ ସୁଜାଣ

ନାଗରୀକର ଏ ଲକ୍ଷଣ

।।

 

 

ଯେ ସାବାଳକ ଶିକ୍ଷାବିଧି

ଦେଶରେ ଲଭିଛି ପ୍ରସିଦ୍ଧି

।।

 

 

ତହିଁ ସହିତ ଏହି ଜ୍ଞାନ

ଶିକ୍ଷାର ହୋଇଛି ବିଧାନ

।।

 

 

ସେହିଟି ସାମାଜିକ ଶିକ୍ଷା

ନାଶିବ ଦେଶର ଅଶିକ୍ଷା

।।

 

 

ତେଣୁ ଏ ରୂପ ଶିକ୍ଷାଦାନ

ବିଚାରେ ହୋଇଛି ପ୍ରଧାନ

।।

 

 

ଶିକ୍ଷା ଉନ୍ନତି ଲାଗି ବ୍ୟୟ

ହୋଇବ ବୋଲି ଯାହା ଥୟ

।।

 

 

ତା ଦଶ ଭାଗୁଁଏକଭାଗ

ଏ ପଥେ ହୋଇବ ନିଯୋଗ

।।

 

 

ସକଳେ ଶୁଣି ସୁଖି ହେଲେ

ଆନନ୍ଦେ ହରିବୋଲ ଦେଲେ

।।

 

ଇତି ଶ୍ରୀ ଯୋଜନା ଭାଗବତେ ଶିକ୍ଷା ବିଧାନ ବର୍ଣ୍ଣନେ

ନାମ ଦ୍ୱାଦଶ ଅଧ୍ୟାୟ ।

***

 

ତ୍ରୟୋଦଶ ଅଧ୍ୟାୟ

 

ପର ଦିବସ ସୂର୍ଯ୍ୟ ଅସ୍ତେ

ସଭାକୁ ଆସିଲେ ସମସ୍ତେ

।।

 

 

ପୁରାଣ ପଣ୍ଡା ଆଗେ ଥିଲେ

ପୁରାଣ ପାଠ ଶେଷ କଲେ

।।

 

 

ଦାସେ ମିଶ୍ରଙ୍କୁ ପଚାରନ୍ତି

ଏ ଦେଶେ ଅନୁନ୍ନତ ଜାତି

।।

 

 

ଜାଣ ତ ଅନେକ ଅଛନ୍ତି

କିପରି ତାଙ୍କର ଉନ୍ନତି

।।

 

 

ଯୋଜନା ଅଛି ମନେ ଚିନ୍ତି

ଦିଅ ହେ ତହିଁର ବିବୃତ୍ତି

।।

 

 

ମିଶ୍ରୋବାଚ

 

 

 

ମିଶ୍ରେ କହିଲେ ଦାସେ ଶୁଣ

ଏଥକୁ ସ୍ୱତନ୍ତ୍ର ବିଧାନ

।।

 

 

ଯୋଜନା କରିଛି ପ୍ରସ୍ତାବ

ଯହିଁରେ ଫଳ ଲାଭ ହେବ

।।

 

 

ଜାଣ ତ ଶିକ୍ଷାର ପ୍ରସାର

ଅଟଇ ଉନ୍ନତିର ମୂଳ

।।

 

 

ଯେ ଛନ୍ତି ଅନୁନ୍ନତ ଭାଇ

ଆବର ଆଦିବାସୀ ଯହିଁ

।।

 

 

ଉନ୍ନତି ସାଧନ ତାଙ୍କର

ଏକାନ୍ତ ଲକ୍ଷ୍ୟ ଯୋଜନାର

।।

 

 

ଉଚ୍ଚ ଶିକ୍ଷିତ ହେବା ପାଇଁ

ବିହିତ ବୃତ୍ତି ଖଞ୍ଜାଯାଇ

।।

 

 

ପୁସ୍ତକମାନ ବିନା ମୂଲ୍ୟେ

ମିଳିବ ଆବଶ୍ୟକ ବେଳେ

।।

 

 

ବିନା ବ୍ୟୟରେ ଛାତ୍ରାବାସ

ମିଳିବ ଅଛିଟି ପ୍ରୟାସ

।।

 

 

ଆପଣା ଇଚ୍ଛା ପରମାଣେ

ଶିକ୍ଷିତ ହୋଇବେ ସେମାନେ

।।

 

 

ଧନ ଅଭାବେ ଯେହ୍ନେ କେହି

ଶିକ୍ଷା ବଞ୍ଚିତ ହେବେ ନାହିଁ

।।

 

 

ଆଚରିବାକୁ କେଉଁ ବୃତ୍ତି

କେ ଯେବେ ଲୋଡ଼ିବ ସମ୍ପତ୍ତି

।।

 

 

ୠଣ ବା ସାହାଯ୍ୟ ଆକାରେ

ମିଳିବ ତାହା ସହଜରେ

।।

 

 

ଚାକିରୀ ପାଇଁ ଇଚ୍ଛା କଲେ

ଉନ୍ନତ ଜାତିଙ୍କର ତୁଲେ

।।

 

 

ପ୍ରତିଦ୍ୱନ୍ଦିତା ଅସୁବିଧା

ଘଟାଇ ନ ପାରିବ ବାଧା

।।

 

 

ତହିଁକି ବ୍ୟବସ୍ଥା ହୋଇଛି

ସ୍ୱତନ୍ତ୍ରଭାବେ ସଂସ୍ଥା ଅଛି

।।

 

 

ଆଦିବାସୀଙ୍କ ପାଇଁ ପୁଣି

ଯୋଜନା ଅଛି ମନେ ଗୁଣି

।।

 

 

ଡାକ୍ତରି ଚିକିତ୍ସା ବିଧାନ

ବ୍ୟବସ୍ଥା ହୋଇବଟି ଜାଣ

।।

 

 

ନିର୍ମାଣ ହେବ ପଥଘାଟ

ଘୁଞ୍ଚିବ ପଥୁକୀ ସଂକଟ

।।

 

 

ପାଞ୍ଚ ବରଷ ଯୋଜନାର

ଅଟଇ ଏମନ୍ତ ବିଚାର

।।

 

 

ଯୋଜନା ଭାଗବତ ଶେଷ

ସୁଜନ ନ ଘେନିବ ଦୋଷ

।।

 

 

ଜନମ ହୋଇଲେ ମରଣ

ଏ ତହୁଁ ସତ୍ୟ ନାହିଁ ଜାଣ

।।

 

 

ଯିବା ସକଳେ କାଳବଳେ

କୀର୍ତ୍ତି ରହିବ ମହୀତଳେ

।।

 

 

ଜନନୀ ଜନ୍ମଭୂମି ପାଇଁ

ସକଳେ ଆଗୁସାର ହୋଇ

।।

 

 

କର୍ମ ସାଧନେ ଦେବା ଚିତ୍ତ

ସାହା ହୋଇବେ ଜଗନ୍ନାଥ

।।

 

 

କର୍ମଟି ଜୀବନର ଧନ୍ଦା

ନିଷ୍କର୍ମା କରେ ଭାଗ୍ୟ ନିନ୍ଦା

।।

 

 

ସହଯୋଗର ପନ୍ଥା ଧରି

ଅଳସ ନୋହି କର୍ମ କରି

।।

 

 

ସତ୍ୟ ଅହିଂସା ଆଶ୍ରେ କରି

ଆନନ୍ଦେ ବୋଲ ହରି ହରି

।।

 

ଇତି ଶ୍ରୀ ଯୋଜନା ଭାଗବତେ ବିବିଧ ଶିକ୍ଷା ବିଧାନ ବର୍ଣ୍ଣନେ

ନାମ ତ୍ରୟୋଦଶ ଅଧ୍ୟାୟ ସଂପୂର୍ଣ୍ଣ ।

 

ସମାପ୍ତ